Categories: ଖେଳ

ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡ଼ିଛନ୍ତି ସଞ୍ଜୁ ସାମସନ୍‌; କିଛି ଏଭଳି ଢଙ୍ଗରେ ବିରୋଧ କଲେ ପ୍ରଶଂସକ

ନୂଆଦିଲ୍ଲୀ,୨୭।୯: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି୨୦ ସିରିଜରେ ବିଜେତା ହୋଇଛି। ଏବେ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବାକୁ ଯାଉଛି। ସେପ୍ଟେମ୍ବର ୨୮ରେ ସିରିଜର ପ୍ରଥମ ମୁକାବିଲା ଖେଳାଯିବ। ଏହାକୁ ନେଇ ଭାରତୀୟ ଖେଳାଳିମାନେ ତିରୁବନନ୍ତପୁରମ୍‌ରେ ପହଞ୍ଚିଛନ୍ତି। ହେଲେ ଖେଳାଳିଙ୍କୁ ଦେଖିବାକୁ ସେଠାରେ ଉପସ୍ଥିତ ପ୍ରଶଂସକମାନେ ଭିନ୍ନ ନାରାବାଜି କରୁଥିବା ଦେଖାଯାଇଛି। ଦଳରୁ ବାଦ୍‌ ପଡ଼ିଥିବା ସଞ୍ଜୁ ସାମସନଙ୍କୁ ନେଇ ସେମାନେ ସ୍ଲୋଗାନ୍‌ ଦେଇଛନ୍ତି। ଏଥିରୁ ଦଳ ଚୟନକୁ ନେଇ ପ୍ରଶଂସକ ଖପ୍ପା ଥିବା ସ୍ପଷ୍ଟ ହୋଇଛି। ଏହାର ଭିଡିଓ ଏବେ ବେଶ ଭାଇରାଲ ହେଉଛି।

ଦକ୍ଷିଣ ଆଫ୍ରିକା ଏବଂ ଟି୨୦ ବିଶ୍ୱକପ୍‌ ସିରିଜ୍‌ରୁ ବାଦ ପଡ଼ିଛନ୍ତି ସଞ୍ଜୁ। ହେଲେ ପ୍ରଶଂସକଙ୍କ ମନରେ ତାଙ୍କ ପ୍ରତି ଥିବା କ୍ରେଜ୍‌ ଅନେକଙ୍କୁ ଚକିତ କରିଛି। ତେବେ ଖେଳାଳି ପହଞ୍ଚିବା ବେଳେ ସେମାନେ ସଞ୍ଜୁ-ସଞ୍ଜୁ ଚିତ୍କାର କରୁଥିବା ବେଳେ ସୂର୍ଯ୍ୟକୁମାର ଯାଦବ ବସ୍‌ରେ ଥାଇ ସଞ୍ଜୁଙ୍କ ଫଟୋ ଦେଖାଉଥିବା ନଜର ଆସିଛି। ଏହାଦେଖି ପ୍ରଶଂସକ ଭାବବିହ୍ବଳ ହୋଇଛନ୍ତି।

 

 

କହିରଖୁଛୁ, ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଟିମ୍‌ ପ୍ରଥମ ପରୀକ୍ଷାରେ ପାସ୍‌ ହୋଇଛି। ଦଳ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଜିତିଛି। ଏବେ ଦକ୍ଷିଣ ଆଫ୍ରିକା ପାଳି। ସେପ୍ଟେମ୍ବର ୨୮ରୁ ଦଳର ଭାରତ ଗସ୍ତ ଆରମ୍ଭ ହେଉଛି। ଉଭୟ ଟିମ୍‌ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଏବଂ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ।

Share