ରାଜଧାନୀ ଭିଡ଼ ବଢ଼ାଇଲା ସଂକ୍ରମଣ

ଭୁବନେଶ୍ୱର, ୧୪।୧୦(ବ୍ୟୁରୋ): ରାଜ୍ୟରେ କରୋନା ଭୂତାଣୁ ଏବେ ପୁଣି ସକ୍ରିୟ ହୋଇଉଠିଛି। ଲୋକେ ନିୟମ ମାନୁ ନ ଥିବାରୁ ସଂକ୍ରମଣ ଉପରମୁହାଁ ହେଉଛି। ବିଶେଷକରି ରାଜଧାନୀ ଭୁବନେଶ୍ୱରର ହାଟବଜାର, ରାସ୍ତାଘାଟରେ ହେଉଥିବା ଭିଡ଼ ପାଇଁ ସହରରେ ସଂକ୍ରମଣ ବଢ଼ିବା ସହ ଜିଲା ଓ ରାଜ୍ୟର ସ୍ଥିତିକୁ ମଧ୍ୟ ବିଗାଡ଼ିବାରେ ଲାଗିଛି। ଗତ କିଛିଦିନ ହେବ ରାଜ୍ୟରେ ଦୈନିକ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ରାଜଧାନୀରୁ ୪୦ ପ୍ରତିଶତ ରହୁଛନ୍ତି। ଆଗକୁ ଏଠାରେ ପଜିଟିଭ୍‌ ସଂଖ୍ୟା ବଢ଼ିଲେ, ଏହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି।
ଦୈନିକ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ରହୁଛନ୍ତି। ପୁଣି ଜିଲାର ମୋଟ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୬୦ପ୍ରତିଶତ ହେଉଛନ୍ତି ଭୁବନେଶ୍ୱରର। ଗତ ୧୦ ତାରିଖରେ ଖୋର୍ଦ୍ଧାରୁ ୩୩୧ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ୱରରୁ ୧୫୯ଜଣ ଥିଲେ। ସେହିଭଳି ୧୧ ତାରିଖରେ ଖୋର୍ଦ୍ଧାରେ ୨୦୮ ଥିବାବେଳେ ଭୁବନେଶ୍ୱରରୁ ୧୫୯, ୧୨ରେ ୨୭୪ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୨୩୪, ୧୩ ତାରିଖରେ ଖୋର୍ଦ୍ଧାରେ ଚିହ୍ନଟ ହୋଇଥିବା ମୋଟ ୩୨୩ ସଂକ୍ରମିତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୮୪ଜଣ ରହିଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୨,୬୭୫ ନମୁନା ପରୀକ୍ଷା କରାଯାଇଥିବାବେଳେ ୬୧୫ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସଂକ୍ରମଣ ହାର ୦.୯୮%କୁ ବୃଦ୍ଧି ପାଇଥିଲା। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୨୩ଜଣ ଥିଲେ। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯିବାରୁ ବୁଧବାର ଏହି ଜିଲା ରେଡ୍‌ ଜୋନ୍‌କୁ ଆସିଥିଲା। ତେବେ ସନ୍ଧ୍ୟାରେ ୧୬୪ଜଣ ସୁସ୍ଥ ହେବାପରେ ପୁଣି ୟେଲୋ ଜୋନ୍‌କୁ ଖସି ଆସିଥିଲା ଖୋର୍ଦ୍ଧା। ତେବେ ଗତ ଦୁଇଦିନ ହେବ ଏହି ଜିଲାରେ ସଂକ୍ରମଣ ହାର ୩% ଉପରେ ରହୁଥିବାରୁ ଓ ଭୁବନେଶ୍ୱରର ସ୍ଥିତି ଜଟିଳ ହେଉଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି।

Share