ଆମ୍ବତୋଟାରେ ଜମୁଛି ପିଲାଙ୍କ ଭିଡ଼

ଡାବୁଗାଁ, ୧୩।୬ (ଡି.ଏନ୍‌.ଏ.): ବର୍ତ୍ତମାନ ଜୁନ ମାସ ଅଧା ହେଲାଣି କିନ୍ତୁ କମୁନି ତାତି। ଏବେ ପିଲାମାନଙ୍କର ସ୍କୁଲରେ ଖରାଛୁଟି ଚାଲିଛି। ଏହାର ଫାଇଦା ଉଠାଇ ଗ୍ରାମାଞ୍ଚଳର ପିଲାମାନେ ଗାଁ ଆମ୍ବତୋଟାରେ ଭିଡ଼ ଜମାଉଛନ୍ତି। ସେଠାରେ ଖେଳକୁଦ କରିବା ସହ ପାଚିଲା ଆମ୍ବ ଖାଇ ମଜା ଉଠାଉଛନ୍ତି। ଋତୁକାଳୀନ ଏହି ଫଳ ପ୍ରତି ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଆଗ୍ରହ ରହିଛି। ସହରାଞ୍ଚଳରେ ଲୋକେ ବଜାରରୁ କିଣି ଖାଉଥିବାବେଳେ ଗ୍ରାମାଞ୍ଚଳର କଥା ଅଲଗା। ଗ୍ରାମ ଆମ୍ବତୋଟାରେ ଏବେ ପିଲାମାନଙ୍କ ଭିଡ଼। ଅପେକ୍ଷା ଥାଏ କେତେବେଳେ ପାଚିଲା ଆମ୍ବଟେ ଝଡି ପଡିବ। ଆମ୍ବ ପଡ଼ୁ ପଡ଼ୁ ଧାଇଁ ପଡୁଛନ୍ତି ପିଲାମାନେ। ନବରଙ୍ଗପୁର ଜିଲାର ଡାବୁଗାଁ ଅଞ୍ଚଳରେ ଏଭଳି ବହୁ ପୁରୁଣା ଦେଶୀ ଓ କଲମୀ ଆମ୍ବତୋଟା ସବୁ ରହିଛି। ଏବେ ଆମ୍ବ ଖାଇବାକୁ ତୋଟାମାନଙ୍କରେ ପିଲାମାନଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳୁଛି। ହାତରେ ମୋଟା ବାଡ଼ି। ବାଡ଼ିରେ ନ ହେଲେ ଟେକାପଥର ଫିଙ୍ଗି ଆମ୍ବ ତୋଳୁଛନ୍ତି। ତାତି ବଢିବା ସହ ପବନରେ ପାଚିଲା ଆମ୍ବ ସବୁ ଝଡି ପଡୁଛି। ଝଡି ପଡୁଥିବା ଆମ୍ବ ଗୋଟାଇ ପିଲାମାନେ ଖୁସିରେ ଖାଉଛନ୍ତି। ଘରୁ ବାହାରି ଆମ୍ବତୋଟାରେ ଆସର ଜମାଉଛନ୍ତି ପିଲାମାନେ।