
ଲାଞ୍ଜିଗଡ଼,୨୭/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ନିକଟସ୍ଥ ଟୁରିଗୁଡା ଗାଁ ନିକଟରେ ଥିବା ନଦୀରେ ଗତକାଲି ଶିବରାତ୍ରି ଦିନ ଏକ ବିରାଟ ଶିବଲିଙ୍ଗର ଆର୍ବିଭାବ ହୋଇଥିବା ଦେଖିବାକୁ ମିଳିଛି I ଏହାପରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି।
ସୂଚନାନୁସାରେ, ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୁ ବେନଗାଁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଗଲା ପରେ କାଣ୍ଡଗୁଡା ଗାଁଠାରୁ ଦୁଇ କିମି ଦୂର ଦକ୍ଷିଣରେ ରହିଛି ଟୁରିଗୁଡା ଗାଁ। ଗାଁ ନିକଟରେ ଥିବା ବିଶାଳ ଆକାର ଶିବଲିଙ୍ଗ ସଦୃଶ୍ୟ ଧାନ କୁପା ପାହାଡ଼ର ପାଦ ଦେଶରେ ଥିବା ରାଣୀ ଚୁଆଁ ନଦୀରେ ବୁଧବାର ଶିବରାତ୍ରି ଦିନ ଏକ ବିରାଟ ଶିବଲିଙ୍ଗର ଆର୍ବିଭାବ ହୋଇଥିବା ଦେଖିବାକୁ ମିଳିଛି I
ଯୁବ ସମାଜସେବୀ ବିନୋଦ ଗୌଡ଼ଙ୍କ କହିବା ଅନୁସାରେ, ବଡି ଭୋରରୁ ସେ ଏକ ସ୍ବପ୍ନ ଦେଖିଥିଲେ ଯେ, ନିୟମଗିରି ପାହାଡର ପାଦ ଦେଶରେ ଥିବା ରାହୁଳ ଝିମିରି ଘଞ୍ଚ ଜଙ୍ଗଲରେ ଏକ ବିରାଟକାୟ ଶିବଲିଙ୍ଗ ଭଳି ଦେଖାଯାଉଥିବା ଏକ ପାହାଡ ନିକଟରେ ଥିବା ନଦୀରେ ଏକ ଶିବଲିଙ୍ଗ ଅଛି ଏବଂ ପାହାଡ ଉପରୁ କେହିଜଣେ ଶୀଘ୍ର ପୂଜା କରିବା ପାଇଁ ଆଦେଶ ଦେଉଛି। ଏହାପରେ ବିନୋଦ ସକାଳୁ ନିତ୍ୟକର୍ମ ସାରିବା ପରେ ଗ୍ରାମର କିଛି ଭଦ୍ରବ୍ୟକ୍ତି ଓ ସାଙ୍ଗସାଥି ମାନଙ୍କୁ ସାଙ୍ଗରେ ନେଇ ସେହି ଜାଗାର ସନ୍ଧାନରେ ବାହାରି ଥିଲେ I ସେହି ପାହାଡ ପାଖରେ ପହଞ୍ଚିଲା ପରେ ପାହାଡ ନିକଟବର୍ତ୍ତୀ ଅଞ୍ଚଳରେ ତଦନ୍ତ କରିଥିଲେ। କିଛି ସମୟ ଖୋଜାଖୋଜି କରିବା ପରେ ନିକଟରେ ଥିବା ରାଣୀ ଚୁଆଁ ନଦୀକୂଳରେ ଡାଳପତ୍ର ଢାଙ୍କି ହୋଇ ଏକ ବିରାଟ ଶିବଲିଙ୍ଗ ସଦୃଶ୍ୟ ଆକୃତିର ପଥର ଥିବା ଠାବ କରିଥିଲେ। ଏହାର ପାଦଦେଶରେ ଏକ ନଦୀ ପ୍ରବାହିତ ହେଉଛି ଏବଂ ଲିଙ୍ଗଟି ନଦୀ ପାଣିରେ ଅଧା ବୁଡିରହିଥିବା ଦେଖିବାକୁ ପାଇଥିଲେ। ଏହି ଖବର ଧୀରେଧୀରେ ଅଞ୍ଚଳରେ ଚହଳ ସୃଷ୍ଟି କରିବା ପରେ ବର୍ତ୍ତମାନ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।