ଲଣ୍ଡନ,୧୪।୮: ଭାରତ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ତଥା ଶନିବାର ବିଶୃଙ୍ଖଳିତ ଦର୍ଶକମାନେ ଭାରତୀୟ ଓପନର ଲୋକେଶ ରାହୁଲଙ୍କ ଉପରେ ସାମ୍ପେନ କର୍କସ (ଠିପି) ପକାଇଛନ୍ତି। ଏହି ଘଟଣା ୬୯ତମ ଓଭରରେ ଘଟିଥିଲା। ଥାର୍ଡ ମ୍ୟାନ ଅଞ୍ଚଳରେ ରାହୁଲ ଫିଲ୍ଡିଂ କରୁଥିବା ବେଳେ କିଛି ଦର୍ଶକ ତାଙ୍କ ଉପରେ ସାମ୍ପେନ ଠିପି ଫିଙ୍ଗିଥିଲେ। ପରବର୍ତ୍ତୀ ଓଭରରେ ରାହୁଲଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିବା ପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି।
ତେବେ ତୃତୀୟ ଦିନର ଦ୍ୱିତୀୟ ସେସନରେ ଜନ୍ନି ବେଆରଷ୍ଟୋ (୫୭ ରନ୍)ଙ୍କ ରୂପେ ଭାରତକୁ ମିଳିଛି ଚତୁର୍ଥ ସଫଳତା। କିନ୍ତୁ ଶତକ ପୂରଣ କରିସାରିଥିବା ଅଧିନାୟକ ଜୋ ରୁଟ୍ (୧୧୦*) ଏବେ ମଧ୍ୟ ପାଚେରୀ ଭଳି ଛିଡ଼ା ହୋଇଛନ୍ତି। ରିପୋର୍ଟ ଲେଖା ହେବା ସୁଦ୍ଧା ଇଂଲଣ୍ଡ ୪ ଉଇକେଟ ହରାଇ ୨୫୧ ରନ୍ କରିଛି। ଇନିଂସ ଅଗ୍ରଣୀ ପାଇଁ ଦଳକୁ ଆହୁରି ୧୧୩ ରନ୍ ଦରକାର ଥିବା ବେଳେ ହାତରେ ରହିଛି ୬ ଉଇକେଟ।