ଚାଇନା ଶ୍ମଶାନ ଘାଟରେ ଭିଡ଼: ପର୍ଦ୍ଦାଫାଶ କଲା ଉପଗ୍ରହ ଚିତ୍ର…

ବେଜିଂ,୧୧।୧ : ଚାଇନାରେ କରୋନା ମହାମାରୀ ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ସଙ୍କଟ ଜନକ ହୋଇପଡ଼ିଛି। ଯଦିଓ ଚାଇନା ସରକାର ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି, କିନ୍ତୁ ବର୍ତ୍ତମାନ ଉପଗ୍ରହର ଫଟୋରୁ ଜଣାପଡିଛି ଯେ ଚାଇନାର ଶ୍ମଶାନ ବାହାରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମା ହେବାରେ ଲାଗିଛି।

ଉପଗ୍ରହ ପର୍ଦ୍ଦାଫାଶ କରିଥିବା ଫଟୋରୁ ଅନୁମାନ କରାଯାଉଛି ଯେ କରୋନା ମହାମାରୀ ଯୋଗୁ ଚାଇନାରେ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟୁଛି। ଯେଉଁଥିପାଇଁ ଶ୍ମଶାନରେ ଲମ୍ବା ଧାଡି ଦେଖାଯାଉଛି । ନିକଟରେ ଚାଇନା ସରକାର ଦେଶରେ ଜାରି କରୋନା ପ୍ରତିବନ୍ଧକକୁ ମଧ୍ୟ ହଟାଇ ଦେଇଛନ୍ତି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି।

ୱାଶିଂଟନ ପୋଷ୍ଟର ଖବର ଅନୁଯାୟୀ ଚାଇନାର ଚେଙ୍ଗଡୁ ସହରର ଏକ ଶବଦାହ ସ୍ଥଳରେ ଶେଷ ମୁହୂର୍ତ୍ତରେ ପ୍ରିୟଜନଙ୍କୁ ଶ୍ରଦ୍ଧାଜ୍ଞଳି ଦେବାର ପରମ୍ପରା ମଧ୍ୟ ବନ୍ଦ ହୋଇଯାଇଛି। କେବଳ ଏତିକି ନୁହେଁ ପ୍ରତ୍ୟେକ ପରିବାରକୁ ନିଜ ପ୍ରିୟଜନଙ୍କୁ ଶେଷ ବିଦାୟ ଦେବା ପାଇଁ ମାତ୍ର ୨ ମିନିଟ ଦିଆଯାଉଛି।

ଚାଇନାର ସର୍ବଶେଷ ପରିସ୍ଥିତି ମେକ୍ସାର ଟେକ୍ନୋଲୋଜିର ଉପଗ୍ରହ ଚିତ୍ରରେ ଦୃଶ୍ୟମାନ ହେଉଛି। ଏହି ଚିତ୍ର ଉତ୍ତରରେ ବେଜିଂ, ପୂର୍ବରେ ନାନଜିଙ୍ଗ ଏବଂ ଦକ୍ଷିଣ-ପଶ୍ଚିମରେ ଚେଙ୍ଗଡୁ ଏବଂ କୁନମିଙ୍ଗ ସମେତ ଚାଇନାର ୬ଟି ଭିନ୍ନ ଭିନ୍ନ ସହରର। ମିଡିଆ ରିପୋର୍ଟ ଅନୁଯାୟୀ, ଶବଦାହ ସ୍ଥଳରେ କାର୍ଯ୍ୟ କରୁଥିବା ଲୋକମାନେ ବହୁତ ବ୍ୟସ୍ତ ଅଛନ୍ତି। ଚୋଙ୍ଗକିଙ୍ଗ ସହରର ଏକ ଶ୍ମଶାନରେ ଥିବା ରିସେପ୍ସନିଷ୍ଟ କହିଛନ୍ତି ଯେ ସେ ଗତ ୬ ବର୍ଷ ମଧ୍ୟରେ କେବେ ଏଭଳି ବ୍ୟସ୍ତ ନଥିଲେ। ମୃତ ଦେହକୁ ରଖିବା ପାଇଁ ଫ୍ରିଜ ପୂର୍ଣ୍ଣ ହୋଇ ଯାଇଛି ଏବଂ ଶବଦାହ କାର୍ଯ୍ୟ ଦିନରାତି ଚାଲିଛି।

Share