ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ: ଜରିମାନା ଭୟରେ ଭିଡ଼ ଉଭାନ

ଭୁବନେଶ୍ୱର,୨୦।୯ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ନିର୍ଦ୍ଦେଶ ପରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ବେଶ୍‌ ତତ୍ପରତା ଦେଖାଇଛି କମିଶନରେଟ ପୋଲିସ। କଟକ, ଭୁବନେଶ୍ୱର ଦ୍ୱୈତନଗରୀରେ ଯାଞ୍ଚ ଓ ଚଢ଼ାଉକୁ ଜୋର୍‌ଦାର କରାଯାଇଥିବାବେଳେ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଉଠିବା ସହ କଟକଣା କୋହଳ ହେବା ପରେ ଭୁବନେଶ୍ୱରବାସୀ ଆଉ କାହାକୁ ମାନି ନ ଥିଲେ। ସରକାରଙ୍କ ଗାଇଡ୍‌ଲାଇନ୍‌କୁ ଭୁଲି ହାଟ, ବଜାରଠୁ ଆରମ୍ଭ କରି ଛକରେ ଭିଡ଼ ଜମାଇଥିଲେ। ଫଳରେ ସହରରେ ସଂକ୍ରମଣ ହୁହୁ ହୋଇ ବଢ଼ିଥିଲା। ଏବେ ପୋଲିସର କଠୋର ଆଭିମୁଖ୍ୟ ଦେଖି ଏବେ ସେସବୁ ସ୍ଥାନରେ ସତେଯେମିତି ଭିଡ଼ ହଠାତ୍‌ ଉଭାନ ହୋଇଯାଇଛି। ଗୁରୁବାର ଓ ଶୁକ୍ରବାର ପୋଲିସ ଚଢ଼ାଉ ହେବା ପରେ ଶନିବାର ହାଟ ଓ ବଜାରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁସାରେ, କଟକ ଭଳି ଭୁବନେଶ୍ୱରରେ ମଧ୍ୟ ଗୁରୁବାର ପୋଲିସ ଟିମ୍‌ ବିଭିନ୍ନ ଭାଗରେ ବିଭକ୍ତ ହୋଇ ବହୁ ସ୍ଥାନରେ ଚଢ଼ାଉ କରିଥିଲେ। ବିଶେଷକରି ହାଟ ଓ ମଲ୍‌ ନିକଟ ଓ ଛକରେ ଯାଞ୍ଚକୁ ତ୍ୱରାନ୍ବିତ କରାଯାଇଥିଲା। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରିଥିବା ମୋଟ ୨୭୨୯ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଥିବାବେଳେ ୨୨ ଦୋକାନକୁ ସିଲ୍‌ କରାଯାଇଥିଲା। ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡାସ୍ଥିତ ଏକ ଇଲେକ୍ଟ୍ରୋନିକ୍ସ ଶୋ’ରୁମ୍‌ ପରିସରରେ ସାମାଜିକ ଦୂରତା ସହ କୋଭିଡ୍‌ ଗାଇଡ୍‌ଲାଇନ ଉଲ୍ଲଂଘନ ହୋଇଥିବା ଦେଖିବା ପରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ସିଲ୍‌ କରିଦେଇଛି। ସେହିଭଳି ରସୁଲଗଡ଼ ହାଟ ଓ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଚଢ଼ାଉ ହୋଇଛି।
ସନ୍ଧ୍ୟାରେ ଖାରବେଳନଗର ଥାନା ଅନ୍ତର୍ଗତ ବିଗବଜାର ଛକ ଅଞ୍ଚଳରେ ତଦାରଖ କରୁଥିବା ଡିସିପି (ସିକ୍ୟୁରିଟି) ନିର୍ମଳ ଶତପଥୀ କହିଛନ୍ତି, ପଦକ୍ଷେପ ଯୋଗୁ ବିଗତ ୩ ଦିନ ଭିତରେ ଜନସାଧାରଣଙ୍କ ମଧ୍ୟରେ ଅନେକ ସଚେତନା ସୃଷ୍ଟି ହୋଇଛି। ପ୍ରଥମଦିନ ତୁଳନାରେ ଧୀରେ ଧୀରେ ଅମାନିଆଙ୍କ ସଂଖ୍ୟା କମିବା ସହ ଭିଡ଼ ମଧ୍ୟ ହେଉନି। ପରିବାର ତଥା ସମାଜର ହିତ ପାଇଁ ଲୋକେ ଆହୁରି ସଚେତନ ହେବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।

Share