ଥାନାକୁ ମନା, ଡିସିପି ଅଫିସ୍‌ରେ ଭିଡ଼

କଟକ ଅଫିସ,୨୫ା୭: କରୋନା ସଂକ୍ରମଣ ରୋକିବା ପାଇଁ ବାହାରେ ବୁଲୁଥିବା ଲୋକଙ୍କୁ ପୋଲିସ ଟିକିନିଖି ଜେରା କରୁଛି। ଅମାନିଆଙ୍କୁ ଲାଠି ଉଠାଇବାକୁ ହେଳା କରୁନି। କଟକରେ ଦିନକୁ ଦିନ କରୋନା ସ୍ଥିତି ଉଦ୍‌ବେଗଜନକ ହେଲାଣି। ଅଥଚ ଏ ପରିସ୍ଥିତିରେ ଡିସିପିଙ୍କ କାର୍ଯ୍ୟାଳୟରେ ଫି’ ଦିନ ଭିଡ଼ ଜମୁଛି। ଫୁଲମାଳ, ଉତ୍ତରୀୟ ଧରି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଡିସିପିଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ତାଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି।
ସହରରେ ଗୋଟିଏ ପରେ ଗୋଟିଏ ସାହିକୁ ଡେଉଁଛି କରୋନା ଭୂତାଣୁ। ୩ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନରେ ରହିଛି। ଜୁଲାଇ ଶେଷ ପର୍ଯ୍ୟନ୍ତ ଲକ୍‌ଡାଉନ ବଳବତ୍ତର ଥିବାବେଳେ ଡିସିପିଙ୍କ କାର୍ଯ୍ୟାଳୟରେ କିନ୍ତୁ ପ୍ରତିଦିନ ଏକ ପ୍ରକାର ଭିଡ଼ ଦେଖିବାକୁ ମିଳୁଛି। ଗତ ୨୦ ତାରିଖରେ ପ୍ରତୀକ ସିଂ ନୂତନ ଡିସିପି ଭାବେ ଯୋଗ ଦେଇଥିଲେ। ସେବେଠାରୁ ସମ୍ବର୍ଦ୍ଧନା ପର୍ବ ଲାଗି ରହିଛି। ଯୁବ ସଙ୍ଗଠନ, କଟକର ବିଭିନ୍ନ କ୍ଲବ, ପୂଜା କମିଟି ସଦସ୍ୟ, ସାମାଜିକ କର୍ମୀ ଡିସିପିଙ୍କ କାର୍ଯ୍ୟାଳୟରେ ରୁଣ୍ଡ ହେଉଛନ୍ତି। ଏ ସମୟରେ ସମ୍ବର୍ଦ୍ଧନା ଦେବାକୁ ସେମାନେ ଡିସିପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବା ନେଇ ପ୍ରଶ୍ନ ଉଠୁଛି। କେଉଁ ଜରୁରିକାଳୀନ କାରଣ ଦର୍ଶାଇ ସେମାନେ ପୋଲିସଙ୍କୁ ଭୁଆଁ ବୁଲାଇ ଡିସିପିଙ୍କ କାର୍ଯ୍ୟାଳୟରେ ପହଞ୍ଚୁଛନ୍ତି, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହାକୁ ରୋକା ନ ଗଲେ ଡିସିପିଙ୍କ କାର୍ଯ୍ୟାଳୟରୁ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହେବା ଆଶଙ୍କା ଅମୂଳକ ହେବନାହିଁ। ଅନ୍ୟପକ୍ଷରେ ଥାନାକୁ ପ୍ରବେଶ ପାଇଁ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି। ଅଭିଯୋଗକାରୀ ଥାନା ବାହାରେ ରହି ଏତଲା ଦେଉଛନ୍ତି। ଡାଏରୀ ଚାର୍ଜ ଅଫିସର (ଡିଏସ୍‌ଓ) ଥାନା ବାହାରେ ଛିଡ଼ାହୋଇ ଅଭିଯୋଗ ସମ୍ପର୍କରେ ଆଲୋଚନା କରୁଛନ୍ତି। ମେଡିକାଲ ଫାଣ୍ଡିରେ ଜଣେ କନଷ୍ଟେବଳଙ୍କୁ କରୋନା ସଂକ୍ରମଣ ହେବା ପରେ ପୋଲିସର ଏଭଳି ଆଚରଣ ଦେଖିବାକୁ ମିଳିଥିଲା। କିନ୍ତୁ ଖୋଦ୍‌ ଡିସିପିଙ୍କ କାର୍ଯ୍ୟାଳୟର ଏହି ଭିଡ଼ ଭିନ୍ନ ବାର୍ତ୍ତା ଦେଉଛି। ଏନେଇ କଟକ ଡିସିପି ପ୍ରତୀକ ସିଂଙ୍କ ଫୋନ୍‌ ନମ୍ବରକୁ କଲ୍‌ ଓ ମେସେଜ୍‌ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପକ୍ଷରୁ ପ୍ରତ୍ୟୁତ୍ତର ମିଳି ନ ଥିଲା।

Share