ସାବିତ୍ରୀ ଅମାବାସ୍ୟା ପାଇଁ ବଜାରରେ ପ୍ରବଳ ଭିଡ଼: ୧୮ ଦୋକାନ ସିଲ୍‌ କଲା ପ୍ରଶାସନ

ବାଲିଗୁଡ଼ା,୯ା୬(ଡି.ଏନ୍‌.ଏ.): ମହାମାରୀ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଲକ୍‌ଡାଉନ୍‌ ଶଟ୍‌ଡାଉନ୍‌ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ଫଳରେ ରାଜ୍ୟରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା କମିଛି ହେଲେ ବିପଦ ଟଳିନି। ଏଭଳି ପରିସ୍ଥିତିରେ କୋଭିଡ୍‌ ନିୟମ ଉଲ୍ଲଂଘନ କରି ସାବିତ୍ରୀ ଅମାବାସ୍ୟାକୁ ନେଇ କନ୍ଧମାଳ ଜିଲା ବାଲିଗୁଡ଼ା ବଜାରରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଛି । ଅତ୍ୟାବଶ୍ୟକ ଦୋକାନ ସମେତ ଅନ୍ୟ ସମସ୍ତ ଦୋକାନ ଖୋଲାଯାଇଥିଲା। ଏହାକୁ ନେଇ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର ନିଜ ଟିମ୍‌ ସହ ଚଢ଼ାଉ କରି ୧୮ଟି ଦୋକାନ ସିଲ୍‌ କରିଛନ୍ତି। ଏହାକୁ ନେଇ କିଛି ବ୍ୟବସାୟୀ ପ୍ରଶାସନ ସହ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ଉତ୍ତେଜିତ ପରିସ୍ଥିତି ସୃଷ୍ଟି ହେବା ପରେ ଘଟଣାସ୍ଥଳରେ ବାଲିଗୁଡ଼ା ଏସ୍‌ଡିପିଓ ମନୋଜ ପୂଜାରୀ ଓ ଥାନାଧିକାରୀ ବାବାଶଙ୍କର ସରାଫ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛନ୍ତି। ଏଥିସହିତ ଅମାନିଆଙ୍କ ନିକଟରୁ ଫାଇନ ମଧ୍ୟ ଆଦାୟ କରୁଛି ପ୍ରଶାସନ।