ସୋରଡା,୩୦।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ାକୁ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସୁଛନ୍ତି। ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ପର୍ଯ୍ୟଟକମାନେ ସୋରଡା ଦେଇ ଯିବା ବେଳେ ଏଠାରେ ମଧ୍ୟ ବହୁ ସ୍ଥାନ ଦର୍ଶନୀୟ ସ୍ଥାନ ଦେଖିବାର ସୁଯୋଗ ପାଉଛନ୍ତି। ଏଠାକାର ପାହାଡ ଉପର ଖୁଣ୍ଟେଶ୍ୱରୀ ମନ୍ଦିର, ସିଦ୍ଧେଶ୍ୱର ମନ୍ଦିର ତଥା ଚତୁଃର୍ପାର୍ଶ୍ୱର ସବୁଜିମା, ପାହାଡ ଉପରୁ ବୃହତ ଜଳଭଣ୍ଡାର ଦୃଶ୍ୟ, ଶିଶୁଉଦ୍ୟାନ ଆଦି ବୁଲି ଦେଖି ବିମୋହିତ ହେଉଛନ୍ତିି। ସେହିପରି ଭଗବାନପୁର ପାର୍ଶ୍ୱ ହୁଳୁହୁଳା ଜଳପ୍ରପାତ, ରାମନାମବାଡି, ପେଟୁ ଗଣେଶ ମନ୍ଦିର ଓ ପଞ୍ଚାନନ ମନ୍ଦିର ଆଦିିରେ ବଣଭୋଜ କରି ମଜା ଉଠାଉଛନ୍ତି । ପର୍ଯ୍ୟଟକଙ୍କ ଯୋଗୁ ୋସରଡ଼ାରେ ହୋଟେଲ ଓ ଚାହା ଦୋକାନୀଙ୍କ ବ୍ୟବସାୟ ବଢିଛି । ଭୁବନେଶ୍ୱର ,କଟକ, ବ୍ରହ୍ମପୁର ସମେତ ସବୁ ଜିଲା ଓ ପଶିମବଙ୍ଗର ପର୍ଯ୍ୟଟକମାନଙ୍କ ଆଗମନ ଯୋଗୁ ଦିନରାତି ରାସ୍ତା ଚଳଚଞ୍ଚଳ ରହୁଛି। ପୋଲିସ ତରଫରୁ ରାତ୍ର ପାଟ୍ରୋଲିଂକୁ କଡାକଡି କରାଯାଉଛି। ମୁଣ୍ଡମରାଇ ଠାରୁ ଗଜଲବାଡି ପର୍ଯ୍ୟନ୍ତ ୪୫ କିମି ଜାତୀୟ ରାଜପଥରେ ଧୀର ଗତିରେ ଗାଡି ଚାଳନ ପାଇଁ କୁହାଯାଉଛି । ସବୁ ସ୍ଥାନରେ ବଣଭୋଜିର ଆୟୋଜନ ସହ ନୃତ୍ୟ ଗୀତର ଆସର ଜମୁଛି।