Categories: ବାଣିଜ୍ୟ

ଖସୁଛି ଅଶୋଧିତ ତୈଳ ଦର

ଭୁବନେଶ୍ୱର, ୧୮।୧୧ (ଅଭୟ ଦାଶ): ଗତ କିଛିଦିନ ହେଲା ଅଶୋଧିତ ତୈଳ ଦର ହ୍ରାସ ପାଉଛି। କାରଣ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଗତ ୪ ମାସର ସର୍ବନିମ୍ନସ୍ତରକୁ ଖସିଆସିଥିବାବେଳେ ବଜାରରେ ତୈଳ ଦର ପ୍ରାୟ ୫% ହ୍ରାସ ଘଟିଥିବା ଜାତୀୟ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି। ଏପରିକି ବ୍ରେଣ୍ଟ କ୍ରୁଡ୍‌ ପ୍ରାୟ ୪(୩.୭୬ ) ଡଲାର ଅର୍ଥାତ୍‌ ୪.୬% ହ୍ରାସ ଘଟି ପ୍ରତି ବ୍ୟାରେଲ ପିଛା ୭୭.୪୨ ଡଲାରରେ ବିକ୍ରି ହେଉଛି। ଅପରପକ୍ଷରେ ଚାଇନା ଓ ଆମେରିକାର ଆର୍ଥିକ କାରବାର ଓ ମାନ୍ଦାବସ୍ଥା ତୈଳ ବଜାରର କାରବାର ଓ ଉତ୍ପାଦନ ଉପରେ ପ୍ରଭାବ ପକାଉଛୁ। ସେହିପରି ଆମେରିକା ଆଧାରିତ ଟେକ୍ସାସ ଇଣ୍ଟରମିଡିଏଟ୍‌ କ୍ରୁଡ୍‌ ୩.୭୬ ଡଲାର ଅର୍ଥାତ୍‌ ୪.୯% ହ୍ରାସ ପାଇ ବ୍ୟାରେଲ ପିଛା ୭୨.୯୦ ଡଲାରରେ ପହଞ୍ଚତ୍ଛି। ବିଶେଷକରି ଓପେକ୍‌ ପ୍ଲସ୍‌, ସାଉଦି ଆରବ ଓ ରୁଷିଆ ଭଳି ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ତୈଳ ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ଏହାଛଡା ଚାଇନା ତୈଳ ରିଫାଇନେରି ଥ୍ରୁପୁଟ୍‌ଠାରେ ମାନ୍ଦା ଆଶଙ୍କା ନିବେଶକଙ୍କ ଚାହିଦାକୁ ଅଟକାଇଛି, ଯାହାର ପ୍ରଭାବ ବର୍ତ୍ତମାନ ତୈଳ ବଜାର ଦର ଉପରେ ପଡ଼ିଥିବା ଦେଖିବାକୁ ମିଳୁଛି। ଅପରପକ୍ଷରେ ଅଶୋଧିତ ତୈଳର ସବୁଠୁ ବଡ଼ ଆମଦାନୀକାରୀ ଚାଇନା ରିଫାଇନେରିଗୁଡ଼ିକ ଚଳିତ ବର୍ଷ ଅକ୍ଟୋବରରେ ଦୈନିକ ପ୍ରୋସେସିଂ ହ୍ରାସ କରିଥିଲେ। ଏହାର ପ୍ରଭାବ ବର୍ତ୍ତମାନ ଅନ୍ତର୍ଜାତୀୟ ତୈଳ ବଜାରରେ ଅନୁଭୂତ ହେଉଛି। ଏହାଛଡ଼ା ଆମେରିକା ବଜାରରେ ପେଟ୍ରୋଲ ଓ ଡିଜେଲ ବିକ୍ରି ହ୍ରାସ ହୋଇଛି। ଫଳରେ ଗତ ୭ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଦେଖାଯାଇଛି। ସେହିଭଳି ଅଶୋଧିତ ତୈଳ ଦର ୮୦ ଡଲାରରୁ ତଳକୁ ଖସିଥିବାରୁ ଦେଶରେ ପେଟ୍ରୋଲିୟମ କମ୍ପାନୀଗୁଡ଼ିକର ଖର୍ଚ୍ଚ ହ୍ରାସ ହୋଇଛି। ଏଥିରେ ସେମାନଙ୍କ ଆୟକୁ ଦେଖିଲେ ଗତ ତ୍ରୈମାସିକରୁ କମ୍ପାନୀଗୁଡ଼ିକୁ ଶସ୍ତା ତେଲର ଫାଇଦା ମିଳିଛି। ସେହିପରି ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ହୋଇଥିବାରୁ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେର ଦର ମଧ୍ୟ ହ୍ରାସ ହୋଇପାରେ ବୋଲି ବଜାର ବିଶେଷଜ୍ଞ ଓ ଖାଉଟିମାନେ ଆଶା କରିଛନ୍ତି।

Share