ନୂଆଦିଲ୍ଲୀ,୩୦।୧: କୋଭିଡ୍ ମହାମାରୀ ସାରା ବିଶ୍ୱକୁ ଏବେ ବି କବଳିତ କରି ରଖିଛି। ଏହି ସମୟରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ସମସ୍ୟା କେତେବେଳେ ଯେ ଉଗ୍ରରୂପ ଧାରଣ କରିବ ସେ ନେଇ ବିଶ୍ୱବାସୀ ଚିନ୍ତିତ। ଏହା ମଧ୍ୟରେ ଅଶୋଧିତ ତୈଳ ଦର କ୍ରମାଗତ ୬ ସପ୍ତାହ ଧରି ବଢ଼ି ଛାଲିଛି। ଶନିବାର ଓପେକ ସମୂହର ସୂଚନା ଅନୁସାରେ କ୍ରୁଡ୍ ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୯୧ ଡଲାର ରହିଛି। ଗତ କିଛିଦିନ ହେବ ଲଗାତର କ୍ରୁଡ୍ ମୂଲ୍ୟ ବୃଦ୍ଧି ପାଇବାରୁ ବର୍ତ୍ତମାନ ଏହା ୭ ବର୍ଷର ରେକର୍ଡ ଭାଙ୍ଗି ସର୍ବାଧିକ ଦରରେ କାରବାର କରୁଛି। ଫଳରେ ୨୦୨୨ ଆରମ୍ଭରୁ ଅଶୋଧିତ ମୂଲ୍ୟ ପ୍ରଭାବ ବିସ୍ତାର କରି ଚାଲିଛି। ବିଶେଷ କରି ପଶ୍ଚିମ ଟେକ୍ସାସ୍ ଅଞ୍ଚଳର ଅନେକ ସମସ୍ୟା କାରଣରୁ ଆଗାମୀ ସପ୍ତାହଗୁଡିକ ପାଇଁ ଅତିରିକ୍ତ ୨% ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏହି ସମୟରେ କ୍ରୁଡ୍ର ଦ୍ରୁତ ଚାହିଦା ଯୋଗୁ ବିଶ୍ୱ ବଜାରକୁ ଏହା ପ୍ରଭାବିତ କରିଛି। ଅପରପକ୍ଷରେ ବିଭିନ୍ନ କାରଣ ପାଇଁ ଏହାର ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଆଗାମୀ ଦିନରେ ମଧ୍ୟ ସମସ୍ୟା ସୃଷ୍ଟି କରିବ। ସେଥିପାଇଁ ୱାଲ୍ ଷ୍ଟ୍ରିଟ୍ ବ୍ୟାଙ୍କ ଏବଂ ସମସ୍ତ ତୈଳ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଏକ ମିଳିତ ବୈଠକ ହେବା ଯୋଜନା ରହିଛି। ବୈଠକ ପୂର୍ବରୁ ତୈଳ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ କ୍ରୁଡ୍ ମୂଲ୍ୟ ଆଗାମୀ ଦିନରେ ୧୦୦ ଡଲାର ଛୁଇଁବା ଆଶଙ୍କା କରାଯାଉଛି। ସେହିଭଳି ଭୌଗୋଳିକ, ରାଜନୈତିକ କାରଣ ଯୋଗୁ ତୈଳ ମୂଲ୍ୟ ବୃଦ୍ଧି ହେବା ଯଥେଷ୍ଟ ଆଶଙ୍କା ରହୁଛି। ନିକଟରେ ଏହାର ଚାହିଦା ମଧ୍ୟ ଦ୍ରୁତ ଅଭିବୃଦ୍ଧି କରିଛି। ଏହା ବଜାୟ ରଖିବା ପାଇଁ ଯୋଗାଣ ସଂସ୍ଥାଗୁଡିକ ମଧ୍ୟ ସଂଘର୍ଷ କରୁଛନ୍ତି। କୋଭିଡ୍ଠାରୁ ନେଇ ମହାଦେଶୀୟ ସମସ୍ୟା ଓ ରୁଷିଆ ଏବଂ ୟୁକ୍ରେନ୍ର ରାଜନୈତିକ ସମସ୍ୟାର ପ୍ରଭାବ ତୈଳ ବଜାରରେ ପ୍ରତିଫଳିତ ହୋଇଛି ବୋଲି ଚେଭ୍ରନ୍ କର୍ପ କହିଛନ୍ତି। ବ୍ଲୁମ୍ବର୍ଗ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାଇକ୍ ୱିର୍ଥ କହିଛନ୍ତି, ଭୌଗୋଳିକ ଓ ରାଜନୈତିକ ଘଟଣା ଯୋଗୁ ଅତୀତ ତୁଳନାରେ ବର୍ତ୍ତମାନ ଦ୍ରବ୍ୟ ବଜାର ଉପରେ ଏହା ଅଧିକ ପ୍ରଭାବ ପକାଉଛି ଏବଂ ଆସନ୍ତା କିଛି ମାସ ମଧ୍ୟରେ ଆମେ ଯାହା ଦେଖିପାରୁଛୁ । ତେଣୁ ଏହା ୧୦୦ ଡଲାରକୁ ଛୁଇଁବ। ସେହିପରି ଫେଡେରାଲ୍ ରିଜର୍ଭ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ପ୍ରସ୍ତୁତ ହେବା ପରେ ବିଶ୍ୱର ଇକ୍ୱିଟି ବଜାରରେ ମଧ୍ୟ ଏକ ପ୍ରକାର ଆଶଙ୍କା ଦେଖାଦେଇଛି। ବର୍ତ୍ତମାନ ଅଶୋଧିତ ତୈଳ ମୂଲ୍ୟ ଅନେକଙ୍କୁ ବିପଦ ଆଡ଼କୁ ଟାଣିନେବ। ଏହାଦ୍ୱାରା ପୁଣି ଥରେ ପୂର୍ବ ମହାମାରୀସ୍ତରକୁ ଫେରି ଆସିବ। ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ଓ ସଂଗଠନ ଏବଂ ଏହାର ସହଯୋଗୀମାନେ ଫେବୃୟାରୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି।