ଆର୍ୟନ ଖାନ୍‌ କ୍ରୁଜ୍‌ ଡ୍ରଗ୍ସ ମାମଲା: ମୁଖ୍ୟ ସାକ୍ଷୀ ପ୍ରଭାକରଙ୍କ ମୃତ୍ୟୁ

ମୁମ୍ବାଇ,୨।୪: ଆର୍ୟନ ଖାନ୍‌ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ମୁଖ୍ୟ ସାକ୍ଷୀ ଥିବା ପ୍ରଭାକର ସେଲଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ଓକିଲ ତୁସାର ଖାଣ୍ଡରେ ସୂଚନା ଦେଇଛନ୍ତି। ତେବେ ହୃଦ୍‌ଘାତ ହେବା ସମୟରେ ପ୍ରଭାକର ତାଙ୍କ ବାସଭବନରେ ଥିଲେ। ଗାଁରୁ ତାଙ୍କ ଭାଇ ଆସିବା ପରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, ବେଆଇନ ଡ୍ରଗ୍ସ କାରବାର ମାମଲାରେ ପ୍ରଥମେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କୁ ଗିରଫ କରାଯାଇଥିଲା। ଅନ୍ୟପଟେ ଆର୍ୟନଙ୍କ ବିରୋଧରେ ସାକ୍ଷୀ ପାଲଟିଥିବା ପ୍ରଭାକର ସଙ୍ଗିନ ଅଭିଯୋଗ ଆଣିଥିଲେ। ସେ ଏନ୍‌ସିବିର ତତ୍କାଳୀନ ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ ଏବଂ ଅନ୍ୟ ସାକ୍ଷୀ କେ.ପି. ଗୋସାଭିଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଆଣିଥିଲେ। ଆର୍ଯ୍ୟନଙ୍କୁ ଛାଡିବା ପାଇଁ କେପି ଗୋସାଭି, ସମୀର ଓ ଶ୍ୟାମଙ୍କ ମଧ୍ୟରେ ପ୍ରାୟ ୨୫ କୋଟି ଟଙ୍କାର କଥାବର୍ତ୍ତା ହୋଇଥିଲା। ହେଲେ ପରେ ୧୮ କୋଟି ଟଙ୍କାରେ ଏହି ଡିଲ ଫାଇନାଲ ହୋଇଥିବା କଥା ପ୍ରଭାକର ଶୁଣିଥିବା କହିଥିଲେ। ଗୋସାଭି ଏବଂ ଶ୍ୟାମ ଏନସିବି ଅଧିକାରୀ ୱାଙ୍ଖଡେଙ୍କୁ ୧୮ କୋଟିରୁ ୮ କୋଟି ଟଙ୍କା ଦେବାକୁ କହିଥିଲେ ବୋଲି ପ୍ରଭାକର ଦାବି କରିଥିଲେ। ଏହା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା।

Share