ବାଲେଶ୍ୱରରୁ ଚାନ୍ଦିପୁର ଚାଲିଲା ‘କ୍ରୁଜ୍‌’

ବାଲେଶ୍ୱର ଅଫିସ, ୧୪।୩: ବାଲେଶ୍ୱର ବୁଢ଼ାବଳଙ୍ଗ ନଦୀର ବାଲିଘାଟ ନିକଟରେ ଏକ ସୁସଜ୍ଜିତ ଓ ବିଳାସପୂର୍ଣ୍ଣ ଲଞ୍ଚ ‘କ୍ରୁଜ୍‌’ର ଶୁଭ ଉଦ୍‌ଘାଟନ ହୋଇଛି। ଏହି ଲଞ୍ଚ ପ୍ରତିଦିନ ଅପରାହ୍ନ ୪ଟାରେ ବାଲିଘାଟଠାରୁ ଚାନ୍ଦିପୁର ପର୍ଯ୍ୟନ୍ତ ଯାତ୍ରା କରିବ। ପର୍ଯ୍ୟଟକଙ୍କ ନଦୀ ଭିତରେ ୩ ଘଣ୍ଟା ରହଣି ପରେ ପୁଣି ଘାଟକୁ ଫେରିବ। ଏପରି ଏକ ନିଆରା ପ୍ରୟାସ କରିଛନ୍ତି ଯୁବ ବ୍ୟବସାୟୀ ତଥା ଚଳଚ୍ଚିତ୍ର ଅଭିନେତା ଡା. ଦେବବ୍ରତ ପ୍ରଧାନ। ଏହି ଲଞ୍ଚଯାତ୍ରାକୁ ବାଲେଶ୍ୱରର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଶୁଭାରମ୍ଭ କରିଛନ୍ତି।
ଇନ୍‌ ଲାଣ୍ଡ ୱାଟର ଟ୍ରାନ୍ସପୋର୍ଟଠାରୁ ଅନୁମତି ନେଇ ଏହି କ୍ରୁଜ୍‌ ସେବା ଆରମ୍ଭ ହୋଇଛି। ୧କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୫ଜଣ କାରିଗର ବର୍ଷେ ହେଲା କାମରେ ଲାଗିଥିଲେ। ଲଞ୍ଚର ସାଜସଜ୍ଜା ସହିତ ପର୍ଯ୍ୟଟକମାନଙ୍କ ପାଇଁ ବିଶେଷ ସୁବିଧା ସୁଯୋଗ ଉପଲବ୍ଧ ରହିଛି। ଏଥିରେ ରହିବା, ଖାଇବା, ରାତ୍ରିଯାପନ ସୁବିଧା ସହିତ ବିଭିନ୍ନ ଉତ୍ସବ ମନାଇବାର ମଧ୍ୟ ସୁବିଧା ରହିଛି। ଶୌଚାଳୟ ସହ ୬ଟି ରୁମ୍‌ର ବ୍ୟବସ୍ଥା ଥିବା ବେଳେ ଏଥିରେ ଏକକାଳୀନ ୫୦ ଜଣ ପର୍ଯ୍ୟଟକ ଯାତ୍ରା କରିପାରିବେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ପର୍ଯ୍ୟଟନ ଅଧିକାରୀ ଗଗନ କୁମାର ସାହୁ, ବାସ୍ତୁବିତ୍‌ ପଣ୍ଡିତ ମନ୍ମଥ ମିଶ୍ର, ସ୍ଥାନୀୟ କାଉନ୍‌ସିଲର ମୀନା ମହାନ୍ତି, କାଉନସିଲର ଅନିନ୍ଦେୟ ପଣ୍ଡା, ସଞ୍ଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ମନୋରଞ୍ଜନ ପାଇଁ ଏଭଳି ପ୍ରୟାସ ସ୍ବାଗତଯୋଗ୍ୟ ବୋଲି ପ୍ରକାଶ କରିଥିଲେ। ଦେବାଶିଷ ମଲ୍ଲିକ, ହେମନ୍ତ ରାଜ, ଶୁଭଙ୍କର ପିରୀ, କାର୍ତ୍ତିକ ଭଟ୍ଟାଚାର୍ଯ୍ୟ, ନମିତା ବେହେରା, ସତ୍ୟଜିତ ପରିଡ଼ା ଓ ସନ୍ତୋଷ ନାୟକ ପ୍ରମୁଖ ପରିଚାଳନା କରିଥିଲେ।
ଏନେଇ ଡା. ଦେବବ୍ରତ ପ୍ରଧାନ କହନ୍ତି, ବାଲିଘାଟରୁ ଲୋକଙ୍କୁ ନେବା ଓ ଆଣିବା ପାଇଁ ସ୍ବତନ୍ତ୍ର ପାହାଚ ବ୍ୟବସ୍ଥା ନାହିଁ। ଏବେ ବାଉଁଶ ପୋଲ ତିଆରି କରି ଯାତାୟାତ ସୁବିଧା କରାଯାଇଛି। ପାହାଚ ସୁବିଧା ହେଲେ ଆହୁରି ଭଲ ହୋଇପାରନ୍ତା। ପର୍ଯ୍ୟଟକଙ୍କ ଚାହିଦା ବଢ଼ିଲେ ଆଗାମୀ ଦିନରେ ଏହି କ୍ରୁଜ୍‌ ଟୁର୍‌କୁ ପୁରୀ ପର୍ଯ୍ୟନ୍ତ ନିଆଯିବ ବୋଲି ପ୍ରକାଶ କରିଛନ୍ତି।