ଦୋଷ ଏଡାଉଛି କ୍ରୁଟ୍‌, କାର୍ଯ୍ୟାନୁଷ୍ଠାନ ପାଇଁ କୁନ୍ଥକୁନ୍ଥ

ଭୁବନେଶ୍ୱର, ୮।୮(ବ୍ୟୁରୋ): ପ୍ରବଳ ବର୍ଷାରେ ଶନିବାର ଖୋର୍ଦ୍ଧା ଜିଲା ଜଟଣୀରେ ‘ମୋ ବସ୍‌’ ବୁଡିବା ଘଟଣାକୁ ଗୁରୁତ୍ୱର ସହ ନେଉନି ଏହାର ପରିଚାଳନା ଦାୟିତ୍ୱରେ ଥିବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)। ଯାତ୍ରୀଙ୍କୁ ବିପଦ ମୁହଁକୁ ଠେଲି ଦିଆଯାଇଥିଲେ ମଧ୍ୟ କ୍ରୁଟ୍‌ କର୍ତ୍ତୃପକ୍ଷ ଦୋଷ ନେବାକୁ ନାରାଜ। ଘଟଣାର ୨୪ ଘଣ୍ଟା ପରେ ଭୁଲ୍‌ର ତର୍ଜମା କି ପଦକ୍ଷେପ ନାହିଁ। ଏତେ ବଡ଼ ବିପଦକୁ ଜାଣି ଜାଣି ଡାକିଥିବା ମୋ ବସ୍‌ ଡ୍ରାଇଭର କିମ୍ବା ଅନ୍ୟ କର୍ମଚାରୀଙ୍କ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ସହରବାସୀଙ୍କୁ ସହଜ ଓ ସୁଲଭ ମୂଲ୍ୟରେ ସେବା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ଥିବା କ୍ରୁଟ୍‌ ବାହୁସ୍ଫୋଟ ମାରୁଥିବାବେଳେ ବର୍ଷା ପାଣିରେ ବସ୍‌ ବୁଡିବା ଘଟଣା ସଂସ୍ଥାର ଖାମଖିଆଲ ମନୋଭାବକୁ ପଦାରେ ପକାଇ ଦେଇଛି। ଘଟଣା ସମୟରେ ବସ୍‌ରେ ପ୍ରାୟ ୧୫ଜଣ ଯାତ୍ରୀ ଥିଲେ। ବର୍ଷା ପାଣିରେ ବସ୍‌ ଅଧା ପର୍ଯ୍ୟନ୍ତ ବୁଡି ଯିବାରୁ ବହୁତ କଷ୍ଟରେ ବସ୍‌ରୁ ବାହାରି ବେକେ ପାଣିରେ ପହଁରି ଉପରକୁ ଆସିଥିଲେ। ସବୁଠାରୁ ପରିତାପର କଥା ହେଉଛି, ଏହାକୁ ଖୁବ୍‌ ସାଧାରଣ କଥା କହି କ୍ରୁଟ୍‌ ପକ୍ଷରୁ ଏଡାଇ ଦିଆଯାଉଛି। କ୍ରୁଟ୍‌ର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି, ବସ୍‌ ଯାଉଥିଲା, ପାଣି ଆସିବା ପରେ ରହିଲା। ଏଥିରେ କିଛି ବଡ କଥା ନାହିଁ। ଗୁଡାଏ ଗାଡ଼ି ସେଠାରେ ରହିଥିଲା, ସେମିତି ମୋ ବସ୍‌ ବି ରହିଥିଲା। ଏହା କ’ଣ ଏତେ ବଡ ଘଟଣା ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ରବିବାର କ୍ରୁଟ୍‌ ପକ୍ଷରୁ ନିୟମିତ ରିଭ୍ୟୁ ମିଟିଂ ହୋଇଥିଲା। ମାତ୍ର ଏ ଘଟଣା ସମ୍ପର୍କରେ କୌଣସି ଆଲୋଚନା ବା କଥା ଉଠିନାହିଁ ବୋଲି ଦୀପ୍ତି କହିଛନ୍ତି।
ସୂଚନା ଯୋଗ୍ୟ, ଜଟଣୀ ରେଳ ଭୂତଳ ରାସ୍ତାରେ ପ୍ରାୟ ୧୦ ଫୁଟର ବର୍ଷା ଓ ନର୍ଦ୍ଦମା ଜଳ ଜମି ରହିଥିଲା। ଏହି ସମୟରେ ଷ୍ଟେଶନ ଦିଗରୁ ଆସୁଥିବା ଏକ ମୋ ବସ୍‌ ରେଳ ଭୂତଳ ରାସ୍ତାରେ ଅଧା ବୁଡି ଯିବାରୁ ବସ୍‌ରେ ଥିବା ଯାତ୍ରୀମାନେ ଅନ୍ୟ ଉପାୟ ନ ପାଇ ପହଁରି ପହଁରି ନିଜକୁ ବଞ୍ଚାଇଥିଲେ। ବଡ଼ଧରଣର ବର୍ଷା ହେଲେ ଭୂତଳ ରାସ୍ତାରେ ପ୍ରତିବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏଭଳି ସ୍ଥଳେ ଡ୍ରାଇଭର ଜାଣିଜାଣି କିପରି ବିପଦକୁ ଆମନ୍ତ୍ରଣ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ କର୍ତ୍ତୃପକ୍ଷଙ୍କ ଏଭଳି ଖାମଖିଆଲି ମନୋଭାବ ବେପରୁଆ କର୍ମଚାରୀଙ୍କୁ ଆହୁରି ପ୍ରୋତ୍ସାହିତ କରୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Share