ମୁମ୍ବାଇ,୧୧।୨:ମୁଦ୍ରାନୀତି ଘୋଷଣା ଅବସରରେ ଆର୍ବିଆଇ ଗଭର୍ନର କ୍ରିପ୍ଟୋକରେନ୍ସି ନିବେଶକମାନଙ୍କୁ ସତର୍କ କରାଇ ଦେଇଛନ୍ତି। ଏହି ଡିଜିଟାଲ ମୁଦ୍ରାରେ ପୁଞ୍ଜି ଲଗାଉଥିବା ବ୍ୟକ୍ତି ମନେରଖିବା ଉଚିତ ଯେ, ସେମାନେ ନିଜ ରିସ୍କରେ ନିବେଶ କରୁଛନ୍ତି। ଏହା ଆଧାରଭୂତ ସମ୍ପତ୍ତି (ଅଣ୍ଡରଲେଇଙ୍ଗ୍ ଆସେଟ୍) ନୁହେଁ। କ୍ରିପ୍ଟୋକରେନ୍ସି ଉପରେ ରିଜର୍ଭ ବ୍ୟାଙ୍କ୍ ଗୁରୁବାର ଏହାର ଆଭିମୁଖ୍ୟକୁ ପୁଣିଥରେ ଦୋହରାଇଛି। ଏକ୍ଷେତ୍ରରେ ଆମ ଆଭିମୁଖ୍ୟ ସ୍ପଷ୍ଟ। ଘରୋଇ କ୍ରିପ୍ଟୋଗୁଡ଼ିକୁ ମାକ୍ରୋ(ବୃହତ୍) ଅର୍ଥନୀତି ଓ ଆର୍ଥିକ ସ୍ଥିରତା ପ୍ରତି ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଆର୍ବିଆଇ ଗଭର୍ନର କହିଛନ୍ତି।
ସୂଚନାଯୋଗ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ବଜେଟ ଉପସ୍ଥାପନ ବେଳେ ଭର୍ଚୁଆଲ ଆସେଟ୍ ଲାଭ ଉପରେ କ୍ରିପ୍ଟୋ ଟ୍ୟାକ୍ସ କଥା କହିଥିଲେ। ଡିଜିଟାଲ ଆସେଟ୍ କାରବାରରେ ୩୦ ପ୍ରତିଶତ ଟିକସ ଲାଗୁ ହେବ। ତେବେ କ୍ରିପ୍ଟୋ କରେନ୍ସି ଉପରେ ଟିକସ ଲାଗୁ ଦ୍ୱାରା ଏହା ବୈଧ ସମ୍ପତ୍ତି ହେବନାହିଁ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଥିଲେ। ଅନ୍ୟପକ୍ଷରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଟିକସ ନୀତିରେ ସ୍ପଷ୍ଟତା ପ୍ରଥମ ପଦକ୍ଷେପ ବୋଲି ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି। ଯଦିଓ ନୂଆ ଟିକସ ବ୍ୟବସ୍ଥା ଯୋଗୁ ନିବେଶକମାନେ କ୍ରିପ୍ଟୋରେ ନିବେଶ କରିବା ବନ୍ଦ କରିଦେବେ ବୋଲି କେତେକ କହୁଥିବାବେଳେ, ବଜେଟ ଘୋଷଣା ଦିନ କ୍ରିପ୍ଟୋକରେନ୍ସି ବିନିମୟ ୨୦ରୁ ୫୦ ପ୍ରତିଶତ ବୃଦ୍ଧି ପାଇଥିଲା। କ୍ରିପ୍ଟୋରେ ଲୋକେ ଲାଭ ହାସଲ କରୁଥିବାରୁ ଏହା ଉପରେ ଟିକସ ଧାର୍ଯ୍ୟ ପାଇଁ ନିଷ୍ପତ୍ତି ହୋଇଥିବା ସୀତାରାମନ୍ କହିଥିଲେ। କ୍ରିପ୍ଟୋ କରେନ୍ସିର ଅନ୍ତର୍ଭୂତ ମୂଲ୍ୟ ନ ଥିବାରୁ ଆର୍ବିଆଇ ଏହି ଡିଜିଟାଲ ଆସେଟ୍କୁ ବିରୋଧ କରୁଛି। ଶେୟାର ବଜାରରେ ଏକ ଅଣ୍ଡରଲେଇଙ୍ଗ୍ ବ୍ୟବସାୟ ଚାଲିଥିବାବେଳେ କ୍ରିପ୍ଟୋରେ ଏହା କେବଳ ଆଲ୍ଗୋରିଦିମ୍ ବୋଲି ଆର୍ବିଆଇ କହିଛି। କ୍ରିପ୍ଟୋ କରେନ୍ସି କାରବାରରେ ଆର୍ଥତ୍କ ସ୍ଥିରତାକୁ ନେଇ ରିଜର୍ଭ ବ୍ୟାଙ୍କ ଏକାଧିକ ଥର ଚିନ୍ତାବ୍ୟକ୍ତ କରିଆସିଛି। ଚିନ୍ତା ଏଇଥିପାଇଁ ଯେ, ଯଦି ଜଣେ ବ୍ୟକ୍ତି, ତାଙ୍କର ସମସ୍ତ କ୍ରେଡିଟ୍ କାର୍ଡ କିମ୍ବା ବ୍ୟକ୍ତିଗତ ଋଣ ଓ ନିବେଶକୁ କ୍ରିପ୍ଟୋରେ ଲଗାଇ ଦିଅନ୍ତି ଏବଂ ଏହା ଦ୍ରୁତ ବେଗରେ ଖସିଚାଲେ ତେବେ ସେହି ବ୍ୟାଙ୍କଗୁଡ଼ିକ ଏନ୍ପିଏର ସମ୍ମୁଖୀନ ହେବେ। ୨୦୨୨-୨୩ ଆର୍ଥତ୍କ ବର୍ଷରେ କେନ୍ଦ୍ରୀୟ ବ୍ୟାଙ୍କ ବ୍ଲକ୍ଚେନ୍ ଓ ଅନ୍ୟ ପ୍ରଯୁକ୍ତି ବ୍ୟବହାର କରି ଡିଜିଟାଲ ମୁଦ୍ରା ଜାରି କରିବାକୁ ଯାଉଛି।