Advertisement

ଅଧାପନ୍ତରିଆ ଆର୍ମି ସିଏସ୍‌ଡି କ୍ୟାଣ୍ଟିନ କାର୍ଯ୍ୟ

ରାଉରକେଲା,୨୦।୧୦(ଦିନେଶ ମିଶ୍ର): ରାଉରକେଲା ସେକ୍ଟର-୬ ସ୍ଥିତ ଏନ୍‌ସିସି ନବମ ବାଟାଲିୟନ ପରିସରରେ ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ ପାଇଁ ଏକ ଆର୍ମି ସିଏସ୍‌ଡି କ୍ୟାଣ୍ଟିନ ପ୍ରତିଷ୍ଠା କରିବାକୁ ୨୦୨୧ରେ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ କ୍ୟାଣ୍ଟିନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। କ୍ୟାଣ୍ଟିନ କାର୍ଯ୍ୟକୁ ଠିକାରେ ନେଇଥିବା ସଂସ୍ଥା କାମ ସମ୍ପୂର୍ଣ୍ଣ ନ କରି ଦିନ ପରେ ଦିନ ଗଡେଇ ଚାଲିଛି। ଏହାକୁ ନେଇ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ଏହି ଆର୍ମି ସିଏସ୍‌ଡି କ୍ୟାଣ୍ଟିନ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଆର୍‌ଏସ୍‌ପିର ସିଏସ୍‌ଆର ବିଭାଗ ପକ୍ଷରୁ କୁହାଯାଇଥିଲା। ଏଥିପାଇଁ ଆରଏସ୍‌ପି ସିଏସ୍‌ଆର ପାଣ୍ଠିରୁ ୮୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ଠିକାଦାର କାର୍ଯ୍ୟାଦେଶ ପାଇବା ପରେ ପ୍ରାୟ ୧୨ଟି କୋଠରୀ ବିଶିଷ୍ଟ ଏହି କ୍ୟାଣ୍ଟିନ କାମ ଆରମ୍ଭ କରିଥିଲେ। ବର୍ଷାଦିନ ଆସିଯିବାରୁ ଠିକାଦାର ଜଣଙ୍କ ଉକ୍ତ କାମ ବନ୍ଦ କରି ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଖାଲି ପାଚେରି ଉଠାଇ ଅଧାପନ୍ତରିଆ ଭାବେ ଦେଢବର୍ଷ ହେଲା କାମକୁ ଛାଡି ଦିଆଯାଇଛି। ଏହାକୁ ନେଇ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଅବରସପ୍ରାପ୍ତ ସେନାର କିଛି କର୍ମକର୍ତ୍ତା ଆରଏସ୍‌ପି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁତ୍ଫଳ ମିଳି ନ ଥିବା କହିଛନ୍ତି। ଆରଏସ୍‌ପି ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବା ଲାଗି ସେମାନେ ଦାବି କରିଛନ୍ତି। ଏ ନେଇ ଆରଏ୍‌ସ୍‌ପି ସିଏସ୍‌ଆର ବିଭାଗର ଜିଏମ୍‌ ମୁନମୁନ ମିତ୍ରାଙ୍କୁ ପଚାରିବାରୁ ସେ କହିଥିଲେ, ଠିକାସଂସ୍ଥା ଏହି କ୍ୟାଣ୍ଟିନ କାମ ବିଳମ୍ବ କରିବାରୁ ଆମେ କାର୍ଯ୍ୟାନୁଷ୍ଠାନ ନେଉଛୁ। ଆସନ୍ତା ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହ ଭିତରେ ନୂତନ ଟେଣ୍ଡର ବାହାରିବ। ଏହି ଟେଣ୍ଡର ପ୍ରକିୟା ଶେଷ ହେବା ପରେ କାମ ଖୁବ୍‌ ଶୀଘ୍ର କରାଯିବ ବୋଲି ମିତ୍ରା କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share