Categories: ଖେଳ

ଧୋନୀଙ୍କ ପାଇଁ ବିସିସିଆଇ ପାଖରେ ଗୁହାରି କଲା ସିଏସ୍‌କେ

ନୂଆଦିଲ୍ଲ,୨।୮: ଆଇପିଏଲ ୨୦୨୫ ଆଲୋଚନାର ବିଷୟ ପାଲଟିଛି ଏବଂ ମେଗା ନିଲାମ ଉପରେ ବିତର୍କ ଆରମ୍ଭ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ପରିଚାଳନା ବିସିସିଆଇକୁ ମେଗା ନିଲାମ ପୂର୍ବରୁ ଏମଏସ ଧୋନୀଙ୍କୁ ଜଣେ ଅନ୍‌କ୍ୟାପ୍ଡ ଖେଳାଳି ଭାବରେ ବିବେଚନା କରିବାକୁ ଅନୁରୋଧ କରିଛି। ସିଏସ୍‌କେ ଏକ ପୁରୁଣା ନିୟମକୁ ପୁନଃକାର୍ଯ୍ୟକାରୀ କରିବାକୁ ଚାହୁଁଛି। ଏହି ନିୟମ ଅନୁଯାୟୀ, ଯଦି ଜଣେ ଖେଳାଳି ଅବସର ଗ୍ରହଣ କରିବାର ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଅତିବାହିତ ହୁଏ, ତେବେ ତାଙ୍କୁ ଜଣେ ଅନ୍‌କ୍ୟାପ୍ଡ ଖେଳାଳି ଭାବରେ ବିବେଚନା କରାଯିବ। ୨୦୨୨ ନିଲାମ ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ କମିଟି ଏହି ନିୟମ ଉପରେ ପ୍ରତିବନ୍ଧକ ଲଗାଇଥିଲା।
ସୂଚନାଯୋଗ୍ୟ ଯେ, ଧୋନୀ ୨୦୧୯ରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ କୌଣସି ମ୍ୟାଚ ଖେଳି ନ ଥିବାବେଳେ ୧୫ ଅଗଷ୍ଟ ୨୦୨୦ରେ ସେ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ବିଦାୟ ନେଇଥିଲେ। ଜୁଲାଇ ୩୧ରେ ମୁମ୍ବାଇରେ ଅନୁଷ୍ଠିତ ଏହି ବୈଠକରେ ସିଏସକେ ଧୋନୀଙ୍କୁ ଜଣେ ଅନ୍‌କ୍ୟାପ୍ଡ ଖେଳାଳି ଭାବରେ ଘୋଷଣା କରିବା ପ୍ରସଙ୍ଗ ଉଠାଇଥିଲେ, କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ ମାଲିକ କାବ୍ୟା ମାରନଙ୍କ ସମେତ ଅନେକ ଦଳର ମାଲିକ ଏହି ନିଷ୍ପତ୍ତି ବିରୋଧରେ ଅଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଏହା ଧୋନୀଙ୍କ ସମେତ ଅନ୍ୟ ମହାନ ଖେଳାଳିଙ୍କ ପରମ୍ପରାକୁ ଖରାପ କରିବ।
ନିକଟରେ ଏକ ବୈଠକରେ ମାରନ କହିଛନ୍ତି, ଯଦି ଜଣେ ଅବସରପ୍ରାପ୍ତ ଖେଳାଳିଙ୍କୁ ଅନ୍‌କ୍ୟାପ୍ଡ ଟ୍ୟାଗ ସହିତ ନିଲାମରେ ଅଣାଯାଏ, ତେବେ ଏହା ତାଙ୍କ ମହାନତା ହାନି କରିବ। ଧୋନୀଙ୍କ ପରି କିମ୍ବଦନ୍ତୀ ପ୍ରତି ଏହା ଅପମାନ ହେବ। ଧୋନୀ ନିଲାମରେ ପ୍ରବେଶ କରନ୍ତୁ, ଯାହାଫଳରେ ସେ ନିଲାମରେ ଉପଯୁକ୍ତ ମୂଲ୍ୟ ପାଇପାରିବେ।

Share