Advertisement

କରୋନା ଭୟରେ ଆଇପିଏଲ୍‌ ପୂର୍ବରୁ କ୍ୟାମ୍ପ କରିବାକୁ ଚାହୁଁ ନ ଥିଲା ଚେନ୍ନାଇ ସୁପରକିଙ୍ଗ୍ସ: ଧୋନୀଙ୍କ ଯୋଗୁ ଏପରି ବଦଳିଥିଲା ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୮: ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌-୧୩। ଏହାକୁ ନେଇ ସମସ୍ତ ଟିମ୍‌ ୟୁଏଇରେ ପହଞ୍ଚିସାରିଲେଣି। ୟୁଏଇ ଗସ୍ତ ପୂର୍ବରୁ କେବଳ ଚେନ୍ନାଇ ସୁପରକିଙ୍ଗ୍ସ ଏକ ପ୍ରାକ୍ଟିସ୍‌ କ୍ୟାମ୍ପର ଆୟୋଜନ କରିଥିଲା। ଅନ୍ୟ ସମସ୍ତ ଟିମ୍‌ ସିଧା ୟୁଏଇ ପହଞ୍ଚିଛନ୍ତି।

ଚେନ୍ନାଇର ଚେପକ ଷ୍ଟାଡିୟମରେ ପାଞ୍ଚ ଦିନ ଧରି ଏହି କ୍ୟାମ୍ପ ରଖାଯାଇଥିଲା। ଏଥିରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ଉପଅଧିନାୟକ ସୁରେଶ ରାଇନାଙ୍କ ସମେତ ଅନ୍ୟ ଖେଳାଳି ସାମିଲ ହୋଇଥିଲେ। ଏହା କେବଳ ଧୋନୀଙ୍କ କହିବାନୁଯାୟୀ ହୋଇଥିବା ଚେନ୍ନାଇର ସିଇଓ କାଶି ବିଶ୍ୱନାଥନ କହିଛନ୍ତି।

ଟିମ୍‌ ପକ୍ଷରୁ ପ୍ରାକ୍ଟିସ୍‌ ସେଶନର ଏକ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ବିଶ୍ୱନାଥନ କହିଛନ୍ତି, ଅଧିନାୟକ ନିଜ ବିଚାରକୁ ନେଇ ସ୍ପଷ୍ଟ ଥିଲେ। ୪ରୁ ୫ ମାସ ଧରି ଖେଳି ନ ଥିବା ହେତୁ ଚେନ୍ନାଇରେ ଭେଟ କରିବାକୁ ସେ କହିଥିଲେ। ଏପରି କରିବା ଦ୍ୱାରା ଖେଳାଳିମାନେ ପୂର୍ବ ଫର୍ମକୁ ଫେରି ଆସିବେ ବୋଲି ଧୋନୀ କହିଥିଲେ। ଶେଷରେ ତାହା ହୋଇଥିଲା। କ୍ୟାମ୍ପରେ ମୁରଲୀ ବିଜୟ, ଦୀପକ ଚାହର, ଅବାନ୍ତି ରାୟୁଡ଼ୁ, ଶାର୍ଦ୍ଦୁଳ ଠାକୁର ଥିଲେ। ହେଲେ ହରଭଜନ ସିଂହ, ରବିନ୍ଦ୍ର ଜାଡେଜା ପହଞ୍ଚି ପାରି ନ ଥିଲେ। ତେବେ କରୋନା ଭୟରେ ଟିମ୍‌ କ୍ୟାମ୍ପ ନ କରିବାକୁ ଚାହୁଁଥିବା ବେଳେ ଧୋନୀଙ୍କ ପଦିଏ କଥା ମ୍ୟାନେଜମେଣ୍ଟର ନିଷ୍ପତ୍ତି ବଦଳାଇଥିଲା ବୋଲି ବିଶ୍ୱନାଥନ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share