Categories: ଖେଳ

ଧୋନୀ, ସିଏସ୍‌କେ ଫ୍ୟାନଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୪।୧୧: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦୀର୍ଘ ଦିନର କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଇପିଏଲର ଆଗାମୀ ୩ ସିଜନ ପାଇଁ ରିଟେନ କରିଛି। ଧୋନୀଙ୍କ ବ୍ୟତୀତ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଓପନର ରୁତୁରାଜ ଗାଏକ୍ୱାଡଙ୍କୁ ମଧ୍ୟ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି ଚେନ୍ନାଇ ଫ୍ରାଞ୍ଚାଇଜ। ଦୁହେଁ ସିଏସ୍‌କେକୁ ୨୦୨୧ ଆଇପିଏଲ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ବିସିସିଆଇର ନିୟମ ଅନୁଯାୟୀ, ପ୍ରତ୍ୟେକ ଫ୍ରାଞ୍ଚାଇଜ ସର୍ବାଧିକ ୪ ଖେଳାଳିଙ୍କୁ ଦଳରେ ବଜାୟ ରଖିପାରିବେ। ତେବେ ଚତୁର୍ଥ ଖେଳାଳି ଭାବେ ସିଏସ୍‌କେ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲିଙ୍କୁ ଦଳରେ ରଖିବାକୁ ଚାହୁଁଛି। ଏ ନେଇ ଫ୍ରାଞ୍ଚାଇଜ ପକ୍ଷରୁ ଆଲୋଚନା ଜାରି ରହିଛି।

ଆଇପିଏଲର ପରବର୍ତ୍ତୀ ସିଜନ ଭାରତରେ ଖେଳାଯିବା ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ସ୍ପଷ୍ଟ କରିସାରିଛନ୍ତି। ଏଣୁ ଚେନ୍ନାଇର ଟର୍ନିଂ ଟ୍ରାକରେ ଅଲି ସିଏସ୍‌କେ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରନ୍ତି। ଯଦି ଅଲି ସିଏସ୍‌କେରେ ରହିବାକୁ ମନା କରି ଦିଅନ୍ତି, ତେବେ ସିଏସ୍‌କେ ବାମହାତୀ ପେସର ସାମ କୁରାନଙ୍କୁ ଚତୁର୍ଥ ଖେଳାଳି ଭାବେ ରିଟେନ କରିପାରେ। ଆସନ୍ତା ୩୦ ତାରିଖ ସୁଦ୍ଧା ପ୍ରତ୍ୟେକ ଫ୍ରାଞ୍ଚାଇଜକୁ ରିଟେନ ଖେଳାଳିଙ୍କ ତାଲିକା ପୈଠ କରିବାକୁ ବିସିସିଆଇ ପକ୍ଷରୁ କୁହାଯାଇଛି।

Share