ଭୁବନେଶ୍ୱର,୨୯ା୧୦: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ) ର ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ପାରଳା ମହାରାଜ ବୈଷୟିକ ମହାବିଦ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ ଅଧୀନରେ ଏକ ବିଶାଳ ବୃକ୍ଷରୋପଣ ଓ ଆମ୍ବୁଲାନ୍ସ ମଧ୍ୟ ଭିନ୍ନ ଭିନ୍ନ ସଂସ୍ଥାକୁ ପ୍ରଦାନ କରାଯାଇଛି। ବିଶେଷକରି ବ୍ରହ୍ମପୁର ପାରଳା ମହାରାଜ ବୈଷୟିକ ମହାବିଦ୍ୟାଳୟ ପରିସରରେ ପ୍ରାୟ ୧ହଜାର ଔଷଧୀୟ ଚାରାରୋପଣ ମଧ୍ୟ କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ। ଅପର ପକ୍ଷରେ ବ୍ୟାଙ୍କର ବ୍ରହ୍ମପୁର ପ୍ରଶାସନିକ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଲୋକ ସେବକ ମଣ୍ଡଳର ବ୍ରହ୍ମପୁର ଶାଖାକୁ ଏକ ନୂତନ ଆମ୍ବୁଲାନ୍ସ ଦିଆଯାଇଥିଲା। ଏପରିକି ଲୋକ ସେବକ ମଣ୍ଡଳର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଜେନାଙ୍କୁ ଶର୍ମା ଆମ୍ବୁଲାନ୍ସର ଚାବି ହସ୍ତାନ୍ତର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ବ୍ରହ୍ମପୁର କାର୍ଯ୍ୟାଳୟର ସହ ଉପ ମହାପ୍ରବନ୍ଧକ (ବ୍ୟବସାୟ ଓ ପରିଚାଳନା) ସନ୍ଦିପ କୁମାର ଚୌବେଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।