କାକୁଡ଼ିକୁ ଅନେକେ ସାଲାଡ୍ କରି ଖାଇବାକୁ ପସନ୍ଦ କରିଥାନ୍ତି। କାରଣ ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା ସହ ଖାଦ୍ୟକୁ ହଜମ କରାଇବାରେ ବିଶେଷ ସହାୟକ ହୋଇଥାଏ। କାକୁଡିକୁ ଯେ କେବଳ ସାଲାଡ୍ କରି ଖାଇହେବ ତାହା ନୁହେଁ, ଏହାକୁ ଗ୍ରାଇଣ୍ଡିଂ କରି ଏହାର ଜୁସ୍କୁ ମଧ୍ୟ ପିଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ବିଶେଷକରି ଖରାଦିନେ ଏହାର ଜୁସ୍ ପିଇବା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। କୁହାଯାଏ ଖରାଦିନେ ନିୟମିତ ବ୍ୟବଧାନରେ କାକୁଡି ଜୁସ୍ ପିଇଲେ ମନ, ମସ୍ତିଷ୍କ ଓ ସ୍ବାସ୍ଥ୍ୟ ଭଲ ରହିଥାଏ। ଏପରିକି ଓଜନ କମାଇବା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ବି ଚାହିଁଲେ ନିଜ ଡାଏଟ୍ ଚାର୍ଟରେ କାକୁଡି ଜୁସ୍କୁ ସାମିଲ କରିପାରିବେ। କାରଣ ଏହା ଶୀଘ୍ର ଓଜନ କମାଇବାରେ ବେଶ୍ ସହାୟକ ହୋଇଥାଏ। ଅନ୍ୟପକ୍ଷେ ଏହି ଜୁସ୍ରେ ପ୍ରଚୁର ମାତ୍ରାରେ ଭିଟାମିନ୍ ବି, ସି, କେ, ପୋଟାସିୟମ୍ ଓ ଆଣ୍ଟିଅକ୍ସିଡାଣ୍ଟ ରହୁଥିବାରୁ ଚେହେରାକୁ ଉଜ୍ଜ୍ୱଳତା ପ୍ରଦାନ କରିବା ସହ ଶରୀରକୁ ହାଇଡ୍ରେଟ୍ ରଖିବାରେ ବି ଏହା ବେଶ୍ ସାହାଯ୍ୟ କରିଥାଏ। କ୍ୟାନ୍ସର୍ ସହ ଲଢ଼ିବା, ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା, ଶରୀରର ଅସ୍ଥିଗୁଡ଼ିକୁ ମଜଭୁତ୍ କରିବା, ପାଚନ କ୍ରିୟାକୁ ସକ୍ରିୟ କରିବା ତଥା ମୁଖର ଦୁର୍ଗନ୍ଧକୁ ଦୂର କରିବାରେ ବି କାକୁଡି ଜୁସ୍ ବହୁତ ଉପକାରୀ ହୋଇଥାଏ।