ଫୁଲ, ଫଳ ଚାଷ କରି ପାଲଟିଛନ୍ତି ପ୍ରେରଣା

ନିଶ୍ଚିନ୍ତକୋଇଲି, ୨୩।୬(ଅଶୋକ କୁମାର ମହାପାତ୍ର) : ସାମ୍ପ୍ରତିକ ସମାଜରେ ଉଚ୍ଚ ଶିକ୍ଷତ ଯୁବତୀ, ଯୁବକମାନେ ଚାକିରି ପଛରେ ଗୋଡ଼ାଉଛନ୍ତି। ଶେଷରେ ନ ପାଇ ବେକାର ହୋଇଯାଉଛନ୍ତି। ଏପରିସ୍ଥଳେ ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତ ଅନ୍ତର୍ଗତ ଏକରୁଖି ଗ୍ରାମର ଜଣେ ଉଚ୍ଚ ଶିକ୍ଷିତ ଯୁବକ ଚାଷରେ ସଫଳ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ପ୍ରଥମେ ଫୁଲ ପରେ ଫଳ ଚାଷକୁ ଆଦରି ନେଇଛନ୍ତି। ଏବେ ସେ ବାର୍ଷିକ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ସେ ହେଲେ ଏକରୂଖି ଗ୍ରାମର ସ୍ବର୍ଗତ କରୁଣାକର ମିଶ୍ରଙ୍କ ଦ୍ୱିତୀୟ ପୁତ୍ର ସର୍ବେଶ୍ୱର ମିଶ୍ର (୪୯) । ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ମଧ୍ୟ କୌଣସି ଚାକିରି ପାଇ ନ ଥିଲେ। ଏହାପରେ ପରିବାର ପ୍ରତିପୋଷଣ କରିବା ନିମନ୍ତେ ରାଜ୍ୟ ବାହାରେ ଦାଦନ ଖଟିବାକୁ ପଛାଇ ନ ଥିଲେ। ତେବେ କରୋନା ମହାମାରୀ ସମୟରେ ତାଙ୍କ ଜୀବନର ଗତିପଥ ବଦଳିଯାଇଥିଲା। ମିଶ୍ର ସୁଦୂର ସୁରଟ ଛାଡି ନିଜ ପୈତୃକ ଗ୍ରାମକୁ ଫେରି ଆସିଥିଲେ। କୌଣସି କାମଧନ୍ଦା ନ ପାଇ ନିରାଶ ହୋଇ ଘରେ ବସିଥିଲେ। ଏହି ସମୟରେ ମିଶ୍ର ସୁଚିନ୍ତିତ ଉପାୟରେ ସ୍ଥାନୀୟ ଗ୍ରାମରେ ଥିବା ପୈତୃକ ସମ୍ପତ୍ତିି ଉପରେ ଗେଣ୍ଡୁଫୁଲ ଚାଷ ଆରମ୍ଭ କରିଥିଲେ। ଏହି ଫୁଲ ଚାଷରୁ ମିଶ୍ରଙ୍କ ରୋଜଗାର ଭଲ ହୋଇଥିଲା। ଏହାପରେ ମିଶ୍ର ଫଳ ଚାଷ କରିବାକୁ ମନସ୍ଥ କରିଥିଲେ। ସେ ସୁଦୂର କଲିକତାରୁ ପିଜୁଳି, କାଗଜୀ ଲେମ୍ବୁ, ସପେଟା, କରମଙ୍ଗା, ବିଭିନ୍ନ ପ୍ରକାର ଆମ୍ବ, ଥାଇଲାଣ୍ଡ ବରକୋଳି, ଜାମୁଡୋଳ, ନଡିଆ ଗୁଆ ଚାରା ଆଦି ଆଣି ଉନ୍ନତ ପ୍ରଣାଳୀରେ ଚାଷ ଆରମ୍ଭ କରିଥିଲେ। ଏବେ ଏହି ଗଛଗୁଡ଼ିକରୁ ଫଳ ଆରମ୍ଭ ହୋଇଛି। ମିଶ୍ରଙ୍କ ବଗିଚାରେ ଫଳିଥିବା ପିଜୁଳି ଗୁଡିକର ଓଜନ ଅଧକେଜିରୁ ଅଧିକ ଅଟେ। ଏପରିକି ସେ ନାଲି ପିଜୁଳି ମଧ୍ୟ ଚାଷ କରିଛନ୍ତି। ଏହା ମଧୁମେହ ରୋଗୀଙ୍କ ପାଇଁ ଏକାନ୍ତ ଉପାଦେୟ । ଏହି ପିଜୁଳି ଲୋକଙ୍କ ଦ୍ୱାରା ବେଶ ଆଦୃତ ହେଉଛି। ବିନା ସରକାରୀ ପ୍ରୋତ୍ସାହରେ ମିଶ୍ର ହାଡଭଙ୍ଗା ପରିଶ୍ରମ କରି ଏଭିଳ ସଫଳତା ହାସଲ କରିଥିବା କହିଛନ୍ତି। ସେ ଫଳନ୍ତି ଗଛରୁ ଉନ୍ନତ ମାନର କଲମୀ ସୃଷ୍ଟି କରି ବେକାର ଯୁବତୀ ଯୁବକମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହ ଫଳ ଚାଷ ନିମନ୍ତେ ପ୍ରେରଣା ଯୋଗାଉଛନ୍ତି। ସରକାରୀ ପ୍ରୋତ୍ସାହନ ସହ ଉନ୍ନତ ଜ୍ଞାନକୌଶଳ ଯୋଗାଇ ଦିଆଗଲେ ଅଧିକରୁ ଅଧିକ ଫଳଚାଷ କରିପାରିବେ ବୋଲି ମିଶ୍ର ମତବ୍ୟକ୍ତ କରିଛନ୍ତି।