ଯୋଡ଼ା,୨୦ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅଞ୍ଚଳରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ) ସହାୟତାରେ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି। ମହିଳାମାନେ ଛତୁଚାଷ କରି ଆତ୍ମନିର୍ଭର ହେବା ସହ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ସହାୟ ହୋଇଛନ୍ତି। ଟିଏସ୍ଏଫ ପକ୍ଷରୁ ସେମାନଙ୍କୁ ଚାଷ ପ୍ରଶିକ୍ଷଣ, ବଜାର ପରିଚାଳନାରେ ସହଯୋଗ କରାଯାଉଛି।
ଯୋଡ଼ା ବ୍ଲକ୍ ଗୁରୁ ପଞ୍ଚାୟତ ଅନ୍ତର୍ଗତ ଠାକୁରାଣୀ ଗ୍ରାମର ମହିଳା ଶଶିବାଳା ମୁଣ୍ଡା ଚଳିତ ବର୍ଷ ୨୫୦ ବେଡ୍ରେ ଛତୁ ଉତ୍ପାଦନ କରିଛନ୍ତି। ସେ ଏହି ଚାଷ କରି ନିଜ ପରିବାରକୁ ଆର୍ଥିକ ସହାୟତାର ହାତ ବଢ଼ାଇ ପାରିଛନ୍ତି ବୋଲି କହିଥିଲେ। ବିଚ୍ଚାକୁଣ୍ଡି ଗ୍ରାମର ମହିଳା ବାସନ୍ତୀ ଚକ୍ରବର୍ତ୍ତି ଚଳିତ ଋତୁରେ ୭୫ ବେଡ୍ ଛତୁ ଉତ୍ପାଦନ କରି ଅତିରିକ୍ତ ଆୟ କରିପାରୁଥିବା କହିଛନ୍ତି। ସେ କିଲୋ ପିଛା ୧୪୦ ଟଙ୍କା ଦରରେ ଛତୁ ବିକ୍ରି କରି ପରିବାରର ଖର୍ଚ୍ଚ ବହନ କରିବାରେ ସହାୟତା କରିପାରୁଛନ୍ତି। ଆଗାମୀ ବର୍ଷରେ ଅଧିକ ମାତ୍ରାରେ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଢିଙ୍ଗରି ଏବଂ ବଟନ ଛତୁର ଅଧିକ ଚାହିଦା ରହିଥିବା କହିଥିଲେ। ଏଥିପାଇଁ ଟିଏସ୍ଏଫକୁ ବୈଷୟିକ ଏବଂ ବେଡ଼ ନିର୍ମାଣ ପାଇଁ ସହାୟତା ଯୋଗାଇ ଦେଇଥିବା ସେ ପ୍ରକାଶ କରିଛନ୍ତି। ଶଶିବାଳା ଓ ବାସନ୍ତୀଙ୍କ ଭଳି ଯୋଡ଼ା ମ୍ୟୁନିସିପାଲିଟି ଓ ବ୍ଲକ୍ ଅନ୍ତର୍ଗତ ଜଳହରି, ବାଲଦା, ନୟାଗଡ଼, ବିଚ୍ଚାକୁଣ୍ଡି, ଖଣ୍ଡବନ୍ଧ, ଗୁରୁ ରଙ୍ଗାମାଟିଆ, ଜମୁନାପୋଷି ଓ ଯୋଡ଼ା ବସ୍ତି ଅଞ୍ଚଳର ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ମହିଳା ଟିଏସ୍ଏଫ ସହାୟତାରେ ଛତୁଚାଷ କରୁଛନ୍ତି।
ଟାଟା ଷ୍ଟିଲ କମ୍ୟୁକେସନ ଅଧିକାରୀ ଶୁଭଙ୍କର ବେହେରା କହିଛନ୍ତି, ଫାଉଣ୍ଡେସନ ପକ୍ଷରୁ ଛତୁ ଚାଷ ସମ୍ପର୍କିତ ଜରୁରୀ ପ୍ରଶିକ୍ଷଣ, ଉତ୍ପାଦ ବିକ୍ରି ପାଇଁ ବଜାର ସଂଯୋଗୀକରଣ ଯୋଗାଇ ଦିଆଯାଇଛି। ଏଥିସହ ଉତ୍ପାଦକମାନଙ୍କ ଆୟରେ ବୃଦ୍ଧି ଆଣିବା ପାଇଁ ସେମାନଙ୍କୁ ଶୁଖିଲା ଛତୁ ଉତ୍ପାଦନ, ଏହାର ପ୍ୟାକିଂ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା କହିଥିଲେ।