ସ୍ବାବଲମ୍ବୀ କରିଛି ଲଙ୍କାମରିଚ, କଖାରୁ ଚାଷ

ନବରଙ୍ଗପୁର,୨୦।୭(ସଦାଶିବ ପ୍ରହରାଜ)ଚାଷ ପ୍ରତି ବିମୁଖ ଅନେକ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ନିଯୁକ୍ତି ସୁଯୋଗ ନ ପାଇ ଶିକ୍ଷିତ ଯୁବତୀଯୁବକ ଅନ୍ୟ ବାଟକୁ ଚାଲି ଯାଉଛନ୍ତି। ତେବେ ଚାଷରେ ଭଲ ରୋଜଗାର ରହିଛି। ଏହାର ଉଦାହରଣ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି କଂଗ୍ରା ଗାଁର ଝାଡେଶ୍ୱର ମାଝି। ଅଣଧାନ ଚାଷ କରି ସେ ସ୍ବାବଲମ୍ବୀ ହୋଇପାରିଛନ୍ତି।
ବ୍ଲକ କଂଗ୍ରା ଗାଁର ଝଡେଶ୍ୱର ମାଝି । ଦଶମ ପାସ୍‌ କରି କଲେଜ ଗଲେ। କିନ୍ତୁ ପାଠରେ ମନ ନ ଲାଗିବାରୁ ସେ ପଢ଼ା ଛାଡ଼ିଦେଇଥିଲେ। ଏହାପରେ ସ୍ବାବଲମ୍ବୀ ହେବାକୁ ସେ ଚାଷ ପ୍ରତି ମନ ବଳାଇଥିଲେ। ଏବେ ୮୦ ଡିସିମିଲ ଜମିରେ ଲଙ୍କାମରିଚ ଓ ୧ ଏକର ୪୦ ଡିସିମିଲ ଜମିରେ କଖାରୁ ଚାଷ କରିଛନ୍ତି। ଚଳିତ ବର୍ଷ ଲଙ୍କା ମରିଚ କିଲୋ ପ୍ରତି ଶହେ ଟଙ୍କା ରହିଛି। ବଜାର ଦର ଏପରି ରହିଲେ ଏକର ପିଛା ବାର୍ଷିକ ୫ ଲକ୍ଷ ଲାଭ ହେବ ବୋଲି ଝାଡ଼େଶ୍ୱର କହିଛନ୍ତି। ଲଙ୍କାମରିଚ ଓ କଖାରୁର ବଜାର ଚାହିଦା ରହିଛି । କୃଷିକାର୍ଯ୍ୟରେ ଅଧିକ ଲାଭ ହେଉଛି। ମରିଚ ପରେ ଏହି ସ୍ଥାନରେ କୋବି ଚାଷ କରାଯିବ। ଧାନଚାଷ ପାଇଁ ପାଣିପାଗ ଉପରେ ଚାଷୀ ଭରସା କରିବାକୁ ପଡୁଛି । ସ୍ବଳ୍ପ ବୃଷ୍ଟିପାତ ଓ କମ୍‌ ପାଣିରେ ପରିବା ଚାଷ ହୋଇପାରୁଛି। ଧାନ ଚାଷରେ ଏକରରେ ଯେତିକି ଲାଭ ହୁଏ ତାହାଠାରୁ ମରିଚ ଚାଷରେ ବହୁଗୁଣ ଲାଭ ହେଉଛି ବୋଲି ସେ କହିଛନ୍ତି। ଦେଶୀ ପ୍ରଣାଳୀରେ ମରିଚ ଚାଷ କରିଛି। ପ୍ରତି ୨ଦିନ ବ୍ୟବଧାନରେ ମରିଚ ତୋଳାଯାଉଛି। ଯୁବପିଢି ଦାଦନ କିମ୍ବା ଅନ୍ୟ ବାଟରେ ନ ଯାଇ ଚାଷ ପ୍ରତି ଧ୍ୟାନଦେଲେ ଭଲ ରୋଜଗାର କରି ସ୍ବାବଲମ୍ବୀ ହୋଇପାରିବେ ବୋଲି ଝାଡ଼େଶ୍ୱର କହିଛନ୍ତି।