ରାଜକନିକା,୮।୩(ଡି.ଏନ.ଏ.): ରାଜକନିକା ବ୍ଲକ ଅନ୍ତର୍ଗତ ପାରିନୂଆପଡା ପଞ୍ଚାୟତରୁ ଦେଉଳସାହି କଲଭଟ ୫ କି.ମି. ନାଳ ଖୋଳା ଆରମ୍ଭ ହୋଇଛି। ସେହିପରି ବନ୍ଧସାହି, ମିର୍ଜାପୁର, ବଳିଭଣ୍ଡା ଓ ଚଢେଇଖିଆ ନାଳ ବାଟେ ଖରେସ୍ରୋତାର ମଧୁର ପାଣି ପ୍ରବେଶ କରୁଛି। ଚାଷ ପାଇଁ ଏହି ପାଣି ବିଶେଷ ଉପଯୋଗୀ ହେବ। ତେଣୁ ଚାଷୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଅତୀତରେ ଏହି ନାଳରେ ଭରପୁର ପାଣି ରହୁଥିଲା। ଚାଷୀମାନେ ମରୁଡି ସମୟରେ ନାଳରୁ ବିଲକୁ ପାରମ୍ପରିକ ପଦ୍ଧତିରେ ପାଣି ମଡାଇ କରିଥିବା ଫସଲକୁ ରକ୍ଷା କରୁଥିଲେ। କାଳକ୍ରମେ ନାଳ ପୋତି ହୋଇ ଜମି ସହ ମିଶି ଯାଇଛି। ବାରମ୍ବାର ଚାଷୀ ପ୍ରାକୃତିକ ବିପଦ ଯୋଗୁ କ୍ଷତିଗ୍ରସ୍ତ ହୋଇ ଚାଷ ପ୍ରତି ବିତସ୍ପୃହ ହୋଇପଡିଛନ୍ତି। ଯୁବକମାନେ ଚାଷ ଛାଡି ବିଦେଶ ପଳାଉଛନ୍ତି। ଏହାପୂର୍ବରୁ ଚାଷୀଙ୍କ ପକ୍ଷରୁ ଜନନେତା ତଥା ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲା। ଖରସ୍ରୋତାରୁ ଏହି ପାଣି ଆସିବା ଫଳରେ ପାରିନୂଆପଡା, ପେଗରପଡା, ସିହୋପଡା, ବନ୍ଧସାହି, ଦେଳତରା ଅଞ୍ଚଳର ଚାଷୀମାନେ ଚାଷ କରି ଉପକୃତ ହେବେ।

Share