ପୁଣି ଭାସିଗଲା ଅସ୍ଥାୟୀ କଲଭର୍ଟ

ରାଇକିଆ,୨୦ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡ଼ିକୁପୁଡ଼ାଠାରେ ଥିବା ଅସ୍ଥାୟୀ ପୋଲ ଉପରେ ପୁଣି ବର୍ଷା ପାଣି ପ୍ରବାହିତ ହେବାରୁ ରାଇକିଆ-ଦାରିଙ୍ଗିବାଡ଼ି ରାସ୍ତାରେ ଯାତାୟାତ ବନ୍ଦ ରହିଛି। ଗତ ରବିବାର ଲଗାଣ ବର୍ଷାରେ ଅସ୍ଥାୟୀ ପୋଲ ଧୋଇଯିବା ଯୋଗୁ ୪ ଦିନ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ତାହାକୁ ମରାମତି କରାଯିବା ପରେ ଗମନାଗମନ ସ୍ବାଭାବିକ ହୋଇଥିଲା। ଗତକାଲିଠାରୁ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ପୁଣି ମରାମତି ହୋଇଥିବା ଅସ୍ଥାୟୀ ପୋଲ ଉପରେ ଆଜି ସକାଳୁ ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ଯାନବାହନ ଚଳାଚଳ ବନ୍ଦ ରହିଛି। ଅନ୍ୟପକ୍ଷରେ ସୁଗଡ଼ବାଡ଼ି ବିଦ୍ୟାଳୟକୁ ଯାଇଥିବା ଛାତ୍ରୀଛାତ୍ର ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଅସ୍ଥାୟୀ ପୋଲ ଉପରେ ପ୍ରବାହିତ ହେଉଥିବା ପାଣି ମଧ୍ୟ ଦେଇ ରାସ୍ତା ପାର ହୋଇଥିଲେ। କୌଣସି କାମରେ ସୁଗଡ଼ବାଡ଼ି ଯାଇଥିବା ଗ୍ରାମବାସୀ ମଧ୍ୟ ବିପଦ ପୂର୍ଣ୍ଣ ଭାବେ ପୋଲ ଉପର ଦେଇ ଫେରିଥିଲେ। ପରେ ରାଇକିଆ ତହସିଲଦାର ହର ପ୍ରସାଦ ଭୋଇ ଉକ୍ତ ସ୍ଥାନକୁ ଯାଇ ପାଣି ଭିତର ଦେଇ ଚଳପ୍ରଚଳ କରୁଥିବା ଲୋକଙ୍କୁ ବାରଣ କରିଥିଲେ।

Share