Categories: ଜାତୀୟ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡ଼ ବାର୍ତ୍ତା ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୨।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି, ପଡୋଶୀ ଦେଶ (ପାକିସ୍ତାନ)ର ନୂତନ ପ୍ରଧାନମନ୍ତ୍ରୀ (ଶେହଓ୍ବାଜ୍‌ ଶରିଫ)ଙ୍କୁ ଏକମାତ୍ର ବାର୍ତ୍ତା ଦେବାକୁ ଚାହୁଁଛି। ସେ ତାଙ୍କ ଦେଶରେ ଆତଙ୍କବାଦକୁ ରୋକିବାରେ ସଫଳ ହୁଅନ୍ତୁ। ଆମେ ସେମାନଙ୍କୁ ଶୁଭେଚ୍ଛା ଜଣାଉଛୁ। ୨ + ୨ ଆଲୋଚନା ପାଇଁ ରାଜନାଥ ସିଂ ଏବେ ଆମେରିକା ଗସ୍ତରେ ଅଛନ୍ତି। ଏକ ସାକ୍ଷାତକାରରେ ସେ ଶେହଓ୍ବାଜଙ୍କୁ ଏହି ବାର୍ତ୍ତା ଦେଇଛନ୍ତି।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶେହଓ୍ବାଜ୍‌ଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଟୁଇଟ୍‌ କରି କହିଥିଲେ, ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫଙ୍କୁ ଅଭିନନ୍ଦନ। ଆତଙ୍କବାଦରୁ ମୁକ୍ତ ଏକ ଅଞ୍ଚଳରେ ଭାରତ ଶାନ୍ତି ଏବଂ ସ୍ଥିରତା ଚାହୁଁଛି, ଯାହା ଦ୍ୱାରା ଆମେ ଆମର ବିକାଶ ଆହ୍ବାନ ଉପରେ ଧ୍ୟାନ ଦେଇପାରିବା ଏବଂ ଆମ ଲୋକଙ୍କ କଲ୍ୟାଣ ତଥା ସମୃଦ୍ଧତାକୁ ନିଶ୍ଚିତ କରିପାରିବା।
ଶେହଓ୍ବାଜ୍‌ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ କଶ୍ମୀରର ପ୍ରସଙ୍ଗ ଉଠାଇଥିଲେ। ସେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବାର୍ତ୍ତା ଦେଇ ସେ କହିଛନ୍ତି,କଶ୍ମୀରବାସୀଙ୍କ ଇଚ୍ଛା ଅନୁଯାୟୀ କାଶ୍ମୀର ସମସ୍ୟାର ସମାଧାନ ହେବା ଉଚିତ। ଆମେ ଭାରତ ସହିତ ଭଲ ସମ୍ପର୍କ ଚାହୁଁଛୁ, କିନ୍ତୁ କଶ୍ମୀର ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ନ ମିଳିବା ପର୍ଯ୍ୟନ୍ତ ଏହା ସମ୍ଭବ ନୁହେଁ।

Share