Categories: ଫୁରସତ

ବିକାଶ ପାଇଁ ନିଶାଦ୍ରବ୍ୟ କାରବାରରେ ଲଗାମ ଅପରିହାର୍ଯ୍ୟ

ନିଶାଦ୍ରବ୍ୟ ସମାଜକୁ ପଙ୍ଗୁ କରିଦିଏ। ସମାଜ, ଦେଶ ତଥା ସମଗ୍ର ପୃଥିବୀର ବିକାଶ ପାଇଁ ନିଶାଦ୍ରବ୍ୟ କାରବାରରେ ଲଗାମ ଅପରିହାର୍ଯ୍ୟ। ଏଥିରୁ ଦୂରେଇ ରହିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁନ୍‌ ୨୬ରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ବେଆଇନ କାରବାର ନିରୋଧୀ ଦିବସ ପାଳିତ ହୋଇଥାଏ।
ଏହି ଅନ୍ତର୍ଜାତୀୟ ଦିବସ ମିଳିତ ଜାତିସଂଘ ପକ୍ଷରୁ ୧୯୮୯ ମସିହାଠାରୁ ପ୍ରତିବର୍ଷ ୨୬ ଜୁନ୍‌ରେ ପାଳନ କରାଯାଉଛି। ଚାଇନାର ପ୍ରଥମ ଅଫିମ ଯୁଦ୍ଧ ପୂର୍ବରୁ ୨୫ ଜୁନ୍‌ ୧୮୩୯ରେ ଲିନ ଜେକ୍ସୁଙ୍କ ଦ୍ୱାରା ବନ୍ଦ ହୋଇଥିବା ଗୁଆଙ୍ଗଡୋଙ୍ଗର ହୁମେନର ଅଫିମ ବାଣିଜ୍ୟକୁ ସ୍ମରଣ କରିବା ପାଇଁ ଜୁନ୍‌ ୨୬ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ୭ ଡିସେମ୍ବର ୧୯୮୭ରେ ଜାତିସଂଘର ସାଧାରଣ ସଭା ରିଜୋଲ୍ୟୁଶନ ୪୨/୧୧୨ ଦ୍ୱାରା ଏହି ଦିବସ ପାଳନ ପାଇଁ ସ୍ବୀକୃତି ମିଳିଥିଲା। ୨୬ ଜୁନ୍‌ ୧୯୮୭ରେ ଭିଏନାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ ‘ଡ୍ରଗ ଅପବ୍ୟବହାର ନିୟନ୍ତ୍ରଣ ଏବଂ ଡ୍ରଗ୍‌ ଅପବ୍ୟବହାର ଓ ବେଆଇନ କାରବାର’ ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀର ଘୋଷଣାନାମାରେ ଡ୍ରଗ୍‌ ଅପବ୍ୟବହାର ଏବଂ ବେଆଇନ କାରବାର ବିରୋଧରେ ସଂଗ୍ରାମର ମହତ୍ତ୍ୱକୁ ଚିହ୍ନିତ କରିବା ପାଇଁ ବାର୍ଷିକ ଦିବସ ପାଳନ କରାଯିବା ଉଚିତ ବୋଲି ପରାମର୍ଶ ଦିଆଯାଇଥିଲା। ଉଭୟ ୧୭ ଏବଂ ୨୬ ଜୁନ୍‌କୁ ଏହି ଦିବସ ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା। ପରବର୍ତ୍ତୀ ବୈଠକରେ ଏହି ଦିବସ ପାଳନ ପାଇଁ ୨୬ ଜୁନ୍‌କୁ ଚୟନ କରାଯାଇଥିଲା । ଏହି ଦିବସ ପାଳନ ଅବସରରେ ବିଭିନ୍ନ ଅଭିଯାନ, ରାଲି, ପୋଷ୍ଟର ଡିଜାଇନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ଦେଶର ଲୋକମାନେ ଏକାଠି ଏହି ଦିବସ ପାଳନ କରିଥାନ୍ତି। ନିଶାଦ୍ରବ୍ୟ ବ୍ୟବହାର ବଢ଼଼ିବା ସହିତ ଏହି ଦିବସ ପାଳନର ଗୁରୁତ୍ୱ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିବର୍ଷ ଏହି ଦିବସ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ପର୍ଯ୍ୟବସିତ ହୋଇଥାଏ। ଚଳିତ ବର୍ଷ ପାଇଁ ଏହି ଦିବସର ବିଷୟବସ୍ତୁ ରହିଛି, ‘ପ୍ରଥମେ ଲୋକମାନେ: କଳଙ୍କ ଏବଂ ଭେଦଭାବ ବନ୍ଦ କର, ପ୍ରତିରୋଧକୁ ଦୃଢ଼ କର’ ା

 

Share