ଆରୋଗ୍ୟ ହାର ସକ୍ରିୟ ମାମଲାର ୩.୫ ଗୁଣ

ନୂଆଦିଲ୍ଲୀ, ୨୭।୮(ପି.ଟି.): ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୨୪,୬୭,୭୫୮ କରୋନା ରୋଗୀ ସୁସ୍ଥ ହେଲେଣି। ଏହା ସକ୍ରିୟ ମାମଲାର ୩.୫ ଗୁଣ। ଦେଶରେ ଆରୋଗ୍ୟ ହାର ୭୬ ପ୍ରତିଶତରୁ ଅଧିକ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଫଳରେ ସକ୍ରିୟ ମାମଲା ୨୧.୮୭ ପ୍ରତିଶତକୁ ହ୍ରାସ ପାଇଛି। ୨୪ ଘଣ୍ଟା ମଧ୍ୟରେ ୬୩,୧୭୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସକ୍ରିୟ ମାମଲା ୭,୦୭,୨୬୭ ରହିଥିବାବେଳେ ଏହାଠାରୁ ୧୭,୬୦,୪୮୯ ଅଧିକ ଲୋକ ସୁସ୍ଥ ହୋଇଛନ୍ତି।
ଦିନକରେ ୬୭,୧୫୧ ଜଣ କରୋନାରେ ଆକ୍ରାନ୍ତ ହେବା ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨.୩୪ ଲକ୍ଷରେ ପହଞ୍ଚତ୍ଛି। ସେହିପରି ଗୋଟିଏ ଦିନରେ ୧୦୫୯ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁସଂଖ୍ୟା ୫୯,୪୪୯କୁ ବୃଦ୍ଧି ପାଇଛି। ଦେଶରେ ମୋଟ ୩,୭୬,୫୧,୫୧୨ ନମୁନା ପରୀକ୍ଷା କରାଗଲାଣି।

ଭାରତରେ ଅକ୍ସଫୋର୍ଡ ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ

ଅକ୍ସଫୋର୍ଡ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଭାରତରେ ବୁଧବାର ଆରମ୍ଭ ହୋଇଛି। ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଏହି ଟିକା ପ୍ରସ୍ତୁତ କରୁଥିଲାବେଳେ ପୁଣେର ଭାରତୀ ବିଦ୍ୟାପୀଠ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହାର ପରୀକ୍ଷା ଆରମ୍ଭ ହୋଇଛି। ଦୁଇଜଣ ପୁରୁଷ ସ୍ବେଚ୍ଛାସେବୀଙ୍କୁ ଏହି କୋଭିସିଲ୍ଡ ଟିକା ଦିଆଯାଇଛି। ଟିକା ଦେବା ପୂର୍ବରୁ ଡାକ୍ତରମାନେ ସେମାନଙ୍କ ତାପମାତ୍ରା, ରକ୍ତଚାପ ଓ ହୃଦ୍‌ସ୍ପନ୍ଦନ ମାପିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ୫ ସ୍ବେଚ୍ଛାସେବୀ ନିଜକୁ ପଞ୍ଜୀକୃତ କରାଇଥିଲେ।

Share