Categories: ଜାତୀୟ

‘ଦିନରେ ରାଲି, ରାତିରେ କର୍ଫ୍ୟୁ’

ଲକ୍ଷ୍ନୌ,୨୭।୧୨: ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଉତ୍ତରପ୍ରଦେଶରେ ବଡ଼ ବଡ଼ ରାଲି ଆୟୋଜନ କରାଯାଉଛି। ଏଥିଲାଗି ଭାଜପା ନେତୃତ୍ୱକୁ ସମାଲୋଚନା କରିଛନ୍ତି ଏମ୍‌ପି ବରୁଣ ଗାନ୍ଧୀ।

“ରାତିରେ କର୍ଫ୍ୟୁ ଲଗାଯାଉଥିବା ବେଳେ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ନେଇ ରାଲି କରାଯାଉଛି। ଏହା ଜନସାଧାରଣଙ୍କ ଚିନ୍ତାଶକ୍ତି ବାହାରେ। ଉତ୍ତରପ୍ରଦେଶର ସୀମିତ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆମକୁ ଏକ ନିଷ୍ପତ୍ତି ନେବାକୁ ପଡ଼ିବ। ଓମିକ୍ରନ ବିସ୍ତାରକୁ ରୋକିବାକୁ ଆମେ ଗୁରୁତ୍ୱ ଦେବା ନା ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନକୁ” ବୋଲି ବରୁଣ ଗାନ୍ଧୀ ଟୁଇଟ୍‌ କରିଛନ୍ତି।

୨୫ ତାରିଖରେ ଗାଜିଆବାଦଠାରେ ଆଯୋଜିତ ‘ଜନ ବିଶ୍ୱାସ ଯାତ୍ରା’ରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ। ତାଙ୍କ ସହ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହି ଦିନଠାରୁ ରାତି ୧୧ରୁ ସକାଳ ୫ ପର୍ଯ୍ୟନ୍ତ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଜାରି ହୋଇଛି। ଆଗାମୀ ନିର୍ବାଚନ ପାଇଁ କେବଳ ଭାଜପା ପକ୍ଷରୁ ରାଲି କରାଯାଉଛି ତାହା ନୁହେଁ, ସପା ଓ କଂଗ୍ରେସ ଭଳି ଦଳ ମଧ୍ୟ ବଡ଼ ବଡ଼ ରାଲି ଆୟୋଜନ କରୁଛନ୍ତି।

Share