ନେପାଳଗଞ୍ଜରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି

କାଠମାଣ୍ଡୁ,୪ା୧୦: ନେପାଳଗଞ୍ଜର ଜଣେ ହିନ୍ଦୁ ବାଳକ ସୋସିଆଲ ମିଡିଆରେ ମୁସଲମାନମାନଙ୍କ ବିଷୟରେ ଏକ ପୋଷ୍ଟ ଶେୟାର କରିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏହାର ପ୍ରତିବାଦରେ ମୁସଲମାନମାନେ ରାସ୍ତାରେ ଟାୟାର ଜାଳି  ଅବରୋଧ କରିଥିଲେ।

ରିପୋର୍ଟ ଅନୁଯାୟୀ, ମଙ୍ଗଳବାର (ଅକ୍ଟୋବର ୩)ରେ ଏକ ବିରାଟ ହିନ୍ଦୁ ରାଲିର ଆୟୋଜନ କରାଯାଇଥିଲା। ଯେଉଁଥିରେ ବିକ୍ଷୋଭକାରୀମାନେ ପଥର ଓ ବୋତଲ ଫିଙ୍ଗିଥିଲେ। ଏଥିରେ କିଛି ଲୋକ ସାମାନ୍ୟ ଆହତ ହୋଇଥିଲେ। ରାଜଧାନୀ କାଠମାଣ୍ଡୁଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିବା ନେପାଳଗଞ୍ଜରେ ହିନ୍ଦୁ ବିରୋଧ ଉପରେ ଆକ୍ରମଣ ପରେ ମଙ୍ଗଳବାର ଅପରାହ୍ନରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି।

ଏରିଆ ପୋଲିସ ମୁଖ୍ୟ ସନ୍ତୋଷ ରାଠୋର କହିଛନ୍ତି, ଅଧିକାରୀମାନେ ସହରରେ ପାଟ୍ରୋଲିଂ କରୁଛନ୍ତି। ଲୋକଙ୍କୁ ଘର ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନ ଥିବା ସୂଚନା ମିଳିଛି।

ନେପାଳରେ ସାମ୍ପ୍ରଦାୟିକ ହିଂସା ସାଧାରଣ ନୁହେଁ। ଏହା ଏକ ହିନ୍ଦୁ ସଂଖ୍ୟାଗରିଷ୍ଠ ଦେଶ। ଯାହାକି କିଛି ବର୍ଷ ପୂର୍ବେ ଧର୍ମନିରପେକ୍ଷ ହୋଇପାରିଥିଲା। ନେପାଳଗଞ୍ଜର ଜନସଂଖ୍ୟାର ଏକ ତୃତୀୟାଂଶ ମୁସଲମାନ ଅଛନ୍ତି।

Share