ନୋଏଡା-ଗାଜିଆବାଦରେ କର୍ଫ୍ୟୁ

ନୂଆଦିଲ୍ଲୀ,୨।୫: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ସାଧାରଣ ଜନତା ଓ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଗତ କିଛି ଦିନରୁ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଛି। ଫଳରେ ଦିଲ୍ଲୀ ଏନ୍‌ସିଆରରେ ଆସୁଥିବା ଉତ୍ତରପ୍ରଦେଶର ୨ଟି ଜିଲା ନୋଏଡା ଓ ଗାଜିଆବାଦରେ ପୁଣି ଥରେ କରୋନା କଟକଣା ବୃଦ୍ଧି କରାଯାଇଛି। କେବଳ ଏତିକି ନୁହେଁ, ଉଭୟ ଜିଲାରେ ଧାରା ୧୪୪ ମଧ୍ୟ ଲାଗୁ କରାଯାଇଛି। ନୋଏଡାରେ ମେ ୩୧ ପର୍ଯ୍ୟନ୍ତ ଏବଂ ଗାଜିଆବାଦରେ ଜୁନ ୧୦ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲଗାଯାଇଛି। ଏହି ସମୟରେ କରୋନା ଗାଇଡ୍‌ଲାଇନ୍‌ ଅନୁଯାୟୀ ବିଦ୍ୟାଳୟଗୁଡ଼ିକ ପୂର୍ବ ପରି ଜାରି ରହିବ। ଏଥିସହ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ କୌଣସି ପ୍ରକାରର ଧର୍ମଘଟ ଏବଂ ପ୍ରଦର୍ଶନକୁ ମଧ୍ୟ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ନେଇ ଗୌତମ ବୁଦ୍ଧ ନଗର କମିଶନରେଟ ସୂଚନା ଦେଇଛି। ଯଦି କେହି କୋଭିଡ ନିୟମ ଓ ଧାରା ୧୪୪ ଉଲ୍ଲଂଘନ କରନ୍ତି ତେବେ ପୋଲିସ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏଥିସହ ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଉତ୍ତରପ୍ରଦେଶରେ ୨୭୦ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ଗୌତମ ବୁଦ୍ଧ ନଗରରେ ୧୧୭, ଗାଜିଆବାଦରେ ୫୫, ଲକ୍ଷ୍ନୌରେ ୨୬ ଏବଂ ଆଗ୍ରାରେ ୧୫ଟି ମାମଲା ରୁଜୁ ହୋଇଛି। ଏଥିଯୋଗୁ ଗାଜିଆବାଦ ଓ ଗୌତମ ବୁଦ୍ଧ ନଗରରେ ଧାରା ୧୪୪ ଲାଗୁ କରାଯାଇଛି।

Share