ବାଲେଶ୍ୱରରେ କୋହଳ ହେଲା କର୍ଫ୍ୟୁ

ବାଲେଶ୍ୱର,୨୦ା୬(ମାନସ ବିଶ୍ବାଳ)ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ବାଲେଶ୍ୱର ସହରର ଅଣାୟତ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସୋମବାର ବିଳମ୍ବିତ ରାତିରୁ କର୍ଫ୍ୟୁ ଜାରି କରାଯାଇଥିଲା। ଗୁରୁବାରଠାରୁ ଏହି କଟକଣାରେ ସାମାନ୍ୟ କୋହଳ କରାଯିବ। ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ। ଲୋକେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ଶେଷ କରି ଘରକୁ ଫେରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। କେବଳ ଲିଜ୍‌ ଲାଇନରେ ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯିବ। ବ୍ୟାଙ୍କ ସମେତ ବ୍ୟବସାୟିକ ପ୍ରତିଷ୍ଠାନକୁ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯିବ। ସର୍ବସାଧାରଣଙ୍କ ପାଇଁ ଇଣ୍ଟରନେଟ୍‌ ସେବା ବିଷୟରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ଆସନ୍ତା ୨ଦିନ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ବାଲେଶ୍ୱରରେ ୧ କମ୍ପାନୀ ବିଏସ୍‌ଏଫ୍‌ ଫୋର୍ସ ପହଞ୍ଚିଛନ୍ତି। ରାତି ସୁଦ୍ଧା ଅଧିକ ୫ କମ୍ପାନୀ ବିଏସ୍‌ଏଫ୍‌ ଯବାନ ପହଞ୍ଚିବେ ବୋଲି ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି।
କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଛାଡ଼ିଦେଲେ ସହରରେ ଇଣ୍ଟରନେଟ ସେବା ଗୁରୁବାରଠାରୁ ମିଳିବ। ଆବଶ୍ୟକ ଜିନିଷପତ୍ର ପାଇଁ ସହରର କେତେକାଞ୍ଚଳରେ ଦୋକାନ ବଜାର ଖୋଲା କରାଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ବୁଧବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଦୀର୍ଘ ୪ଘଣ୍ଟା ଧରି ଅନୁଷ୍ଠିତ ହୋଇଥିଲା। ବୈଠକରେ ଏଡିଜି(ଲ ଆଣ୍ଡ ଅର୍ଡର) ସଞ୍ଜୟ କୁମାର, ରାଜ୍ୟ ପୋଲିସ ମୁଖ୍ୟାଳୟ ଏସ୍‌ପି ବାଟୁଲା ଗଙ୍ଗାଧର, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଜିଲାପାଳ ଆଶିଷ ଠାକ୍‌ରେ, ଏସ୍‌ପି ସାଗରିକା ନାଥ ଓ ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ତେଜନା ସୃଷ୍ଟିକାରୀଙ୍କ ଉପରେ ନଜର ରଖିବା ଓ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେଭଳି ସୃଷ୍ଟି ନ ହୁଏ, ସେଥିପାଇଁ ଆସନ୍ତା ୨୦ତାରିଖ ପୂର୍ବାହ୍ନ ୧୦ଟା ଯାଏ ମୋବାଇଲ ଓ ସମସ୍ତ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି। ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମାଇକ୍‌ ଯୋଗେ ବାଲେଶ୍ବର ସହରର ପ୍ରତିଟି ଅଞ୍ଚଳରେ ଏହି କର୍ଫ୍ୟୁ ସମ୍ପର୍କରେ ପ୍ରଚାର କରାଯାଇଛି। ସହରର ଉତ୍ତେଜନାପ୍ରବଣ ଅଞ୍ଚଳରେ ୪୦ ପ୍ଲାଟୁନରୁ ଅଧିକ ପୋଲିସ ଓ ୬ ପ୍ଲାଟୁନ ସୁରକ୍ଷାବଳ ମୁତୟନ ହୋଇଛନ୍ତି। ଅପରାହ୍ନରେ ସହରର ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଇଜି ଦୀପକ କୁମାର ଓ ବାଲେଶ୍ବର ଏସ୍‌ପି ସାଗରିକା ନାଥଙ୍କ ସମେତ ଜିଲାସ୍ତରୀୟ ପୋଲିସ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏକାଧିକ ପାଟ୍ରୋଲିଂ ଗାଡ଼ି ସହରରେ ପଇଁତରା ମାରୁଛି। ବିବାଦର ସମାଧାନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ବିଭିନ୍ନ ସ୍ତରର ଲୋକପ୍ରତିନିଧି ଏବଂ ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଛି। ଗୋଷ୍ଠୀ ବିବାଦଜନିତ ହିଂସାକାଣ୍ଡ ଓ ଭଙ୍ଗାରୁଜାକୁ ନେଇ ରୁଜୁ ହୋଇଥିବା ୧୫ ମାମଲାରେ ମୋଟ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ପୋଲିସ ଗିରଫ କରିଛି। ଗିରଫଦାରିଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୬ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ଆସିବାର ନିର୍ଦ୍ଦେଶ ରହିଛି।

Share