ବାଲେଶ୍ୱର ସହରରୁ କର୍ଫ୍ୟୁ ହଟିଲା

ବାଲେଶ୍ୱର, ୩।୭(ମାନସ ବିଶ୍ୱାଳ): ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ନେଇ ଅଶାନ୍ତ ହୋଇପଡିଥିବା ବାଲେଶ୍ୱର ସହରରୁ ୧୫ଦିନ ପରେ କର୍ଫ୍ୟୁ ହଟାଯାଇଛି। ବିଶେଷ କରି ବାଲେଶ୍ୱର ଟାଉନ, ସହଦେବଖୁଣ୍ଟା ଓ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଥିଲା। ପ୍ରଥମେ ଶିଳ୍ପାଞ୍ଚଳ ଥାନାକୁ କର୍ଫ୍ୟୁମୁକ୍ତ କରାଯାଇଥିବା ବେଳେ ଟାଉନ୍‌ ଓ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇ କେବଳ ରାତ୍ରିକାଳୀନ କର୍ଫ୍ୟୁ(ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ) ବଳବତ୍ତର ରହିଥିଲା। ମଙ୍ଗଳବାର ସନ୍ଧ୍ୟା ୭ଟାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜିଲାପାଳ ଆଶିଷ ଠାକ୍‌ରେ ଓ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଉପସ୍ଥିତ ରହି ମଙ୍ଗଳବାର ରାତିଠାରୁ ସହର କର୍ଫ୍ୟୁମୁକ୍ତ ହୋଇଥିବା ସୂଚନା ଦେଇଛନ୍ତି। ଜିଲାପାଳ ଠାକ୍‌ରେ କହିଛନ୍ତି ଯେ, ବାଲେଶ୍ୱର ସହରରେ ଦୁଇଟି ଥାନା ଅଞ୍ଚଳରେ ଚାଲିଥିବା ରାତ୍ରିକାଳୀନ କର୍ଫ୍ୟୁ ହଟାଇ ଦିଆଯାଇଛି। ତଥାପି ଉକ୍ତ ଅଞ୍ଚଳକୁ ପୋଲିସ ନଜରରେ ରଖାଯାଇଛି। ମାଇକ୍ରୋ ପିସ୍‌ କମିଟିର ମିଟିଂ ମାଧ୍ୟମରେ ପ୍ରତିଦିନ ବିଭିନ୍ନ ଅଧିକାରୀଙ୍କ ସହ ବସି ଆଲୋଚନା ଜାରି ରହିଛି। ପୋଲିସ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ଜାରି ରହିଛି। ମାଇକ୍ରୋ ପିସ୍‌ କମିଟିରେ ଅଞ୍ଚଳର ଅବସ୍ଥା ଭଲ ଥିବା ଜଣାପଡ଼ିଛି। ନିଜ ନିଜ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ଲୋକେ ଦାୟିତ୍ୱ ନେଉଛନ୍ତି। ଗତ ଶନିବାର ବିଭିନ୍ନ ଦଳ ଓ ବର୍ଗର ଲୋକଙ୍କୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ମଧ୍ୟ ସହରରେ ଶାନ୍ତି ଫେରାଇବା ଆଣିବା ପାଇଁ ଗୁରୁତ୍ୱାରୋପ କରାଯାଇ ଭାଇଚାରାର ସହର ବାଲେଶ୍ୱରକୁ ସ୍ବାଭାବିକ ସ୍ଥିତିରେ ରଖାଯିବା ଉଦ୍ୟମ କରାଯାଇଥିବା କହିଥିଲେ।
ଅନ୍ୟପକ୍ଷରେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ କହିଛନ୍ତି, କର୍ଫ୍ୟୁ ଉଠିଥିଲେ ମଧ୍ୟ ପୋଲିସ ପ୍ରଶାସନ ଏହା ଉପରେ ସତର୍କ ନଜର ରଖିଛି। ଯେପରି ଏଭଳି କୌଣସି ଅଘଟଣ ନ ଘଟୁ। ଆଗାମୀ ଦିନରେ ମହାପ୍ରଭୁଙ୍କର ରଥଯାତ୍ରା ଏବଂ ମହରମ୍‌ ପର୍ବ ଆସୁଛି। ଏ ବାବଦରେ ଭିନ୍ନ ଭିନ୍ନ ଆଲୋଚନା ଜାରି ରହିଛି। ସୋସିଆଲ ମିଡ଼ିଆକୁ ବ୍ୟବହାର କରି କୌଣସି ଗୁଜବକୁ ପ୍ରଚାର ନ କରିବା ପାଇଁ ଅନୁରୋଧ କରିଛନ୍ତି, ଯଦି କରନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ଦେଇଛନ୍ତି। ମିଛ ଗୁଜବ ମାଧ୍ୟମରେ କୌଣସି ଅଘଟଣ ପରିସ୍ଥିତିକୁ ଆଣିବା ପାଇଁ ଚେଷ୍ଟା କଲେ ନିଶ୍ଚିତ ଭାବେ ଗିରଫ କରାଯିବ। ଦୁଇ ସମ୍ପ୍ରଦାୟ ମଧ୍ୟରେ ଲାଗିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ମୋଟ୍‌ ୨୪ଟି ମାମଲା ରୁଜୁ କରାଯାଇ ୯୪ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି।

Share