କର୍ଫ୍ୟୁ: ଇଦ୍‌ଗାରେ ହେବନାହିଁ ନମାଜପାଠ

ସମ୍ବଲପୁର,୨୧।୪: (ବ୍ୟୁରୋ) ସମ୍ବଲପୁର ସହରରେ ଉପୁଜିଥିବା ଅଶାନ୍ତ ପରିବେଶ ଯୋଗୁ କର୍ଫ୍ୟୁ ଲଗାଯାଇଥିବାବେଳେ ନେଟ୍‌ସେବା ବନ୍ଦ କରି ଦିଆଯାଇଛି। ୭ଦିନ ହେଲା ଜିଲାରେ ନେଟ୍‌ସେବା ବନ୍ଦ ହୋଇଥିବା ବେଳେ ଗୁରୁବାର କେବଳ ବ୍ରଡ୍‌ବ୍ୟାଣ୍ଡ ଓ ଲିଜ୍‌ଲାଇନ ଉପରେ ସାମୟିକ ଭାବେ କୋହଳ କରାଯାଇଛି। ହେଲେ ମୋବାଇଲ ନେଟ୍‌ସେବାକୁ ପ୍ରଶାସନ ପକ୍ଷରୁ ଆଉ ୪୮ଘଣ୍ଟା ବନ୍ଦ କରିଦିଆଯାଇଛି। ଏଭଳି ପରିସ୍ଥିତିରେ ମୁସଲମାନଙ୍କ ଇଦ୍‌-ଉଲ-ଫିତର ପର୍ବ ସମୟରେ ଭିଏସ୍‌ଏସ୍‌ ମାର୍ଗ ଇଦ୍‌ଗାହରେ ହେବାକୁ ଥିବା ସାମୂହିକ ନମାଜପାଠ ନ କରିବାକୁ ସମ୍ପ୍ରଦାୟକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ମୁସଲମାନ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ମହମ୍ମଦ ୟାସିନ ଅମନ କହନ୍ତି, ଜିଲାରେ ଦେଖାଦେଇଥିବା ପରିସ୍ଥିତିକୁ ନେଇ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଏକାଠି ଗୋଟିଏ ସ୍ଥାନରେ ଭିଡ କରିବା ଉପରେ ପ୍ରଶାସନ ରୋକ ଲଗାଇଛନ୍ତି। ଏହାକୁ ସ୍ବାଗତ କରିବା ସହ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛୁ ବୋଲି ସେ କହିଥିଲେ। ଅନ୍ୟପଟେ ପରବେଜ ଅଲ୍ଲି ଖାନ କହିଥିଲେ, ପ୍ରଶାସନ ସହିତ ବୈଠକରେ ଇଦ୍‌ଗାହରେ ନମାଜ ପାଠ କରିବାକୁ ଅନୁରୋଧ କରିଥିଲୁ। ବର୍ଷବର୍ଷ ଧରି ନମାଜ ପାଠ ହୋଇଆସୁଥିଲା। ହେଲେ ପ୍ରଶାସନ ଆମକୁ ମନା କରିଦେଇଛନ୍ତି। ଦୁଃଖ ଲାଗୁଥିଲେ ବି ସହଯୋଗ କରିବା ପାଇଁ ଆମେ ରାଜି ହୋଇଛୁ। ଅନ୍ୟପଟେ ଏସ୍‌ପି ବାତୁଳା ଗଙ୍ଗାଧର କହିଛନ୍ତି, ସହରରେ ଏବେ କର୍ଫ୍ୟୁ ଓ ୧୪୪ ଧାରା ଲାଗି ରହିଛି। ଗୋଟିଏ ସ୍ଥାନରେ ଏକାଧିକ ବ୍ୟକ୍ତି ଜମା ହୋଇପାରିବେ ନାହିଁ କି ସଭାସମିତି କରିପାରିବେ ନାହିଁ। ତେଣୁ ସାମୂହିକ ନମାଜ ପାଠ ଉପରେ ରୋକ ଲଗାଯାଇଛି। ପରିସ୍ଥିତିର ସୁଧାର ଆସିଲେ ସବୁ କଟକଣା ଉଠିଯିବ ବୋଲି ସେ କହିଥିଲେ।

Share