ନାସିକ, ୩୧।୮: ମହାରାଷ୍ଟ୍ରର ନାସିକ୍ଠାରେ ଥିବା କରେନ୍ସି ନୋଟ୍ ପ୍ରେସ୍ ଏବଂ ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍କୁ ସୋମବାରଠାରୁ ୪ ଦିନ ପାଇଁ ବନ୍ଦ କରାଯାଇଛି। ଏଠାରେ ଟଙ୍କା ଛପା ୪ ଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏଠାରେ କାର୍ଯ୍ୟକରୁଥିବା ୪୦ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗତ ୨ ସପ୍ତାହ ମଧ୍ୟରେ ସମ୍ପୃକ୍ତ କର୍ମଚାରୀଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିବା କୁହାଯାଉଛି। କରେନ୍ସି ନୋଟ୍ ପ୍ରେସ୍ରେ ବିଭିନ୍ନ ମୂଲ୍ୟର ଟଙ୍କା ଛପା ହୋଇଥାଏ। ସେହିପରି ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍ରେ ଆଇଏସ୍ପି ରାଜସ୍ବ ଟିକଟ, ଷ୍ଟାମ୍ପ୍ ପେପର, ପାସପୋର୍ଟ ଏବଂ ଭିଜା ଆଦି ଛପା ହୋଇଥାଏ। କରେନ୍ସି ନୋଟ୍ ପ୍ରେସ୍ରେ ୨୩ ଶହ ଏବଂ ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍ରେ ୧୭ ଶହ ସ୍ଥାୟୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଗତ ୩ ମାସ ମଧ୍ୟରେ ଉଭୟ କାର୍ଯ୍ୟାଳୟର ୧୨୫ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।