ଇମ୍ରାନଙ୍କୁ ମିଳିଲା ଅଭିଶାପ: ତୃତୀୟ ସ୍ତ୍ରୀ ବି ଛାଡି ଚାଲିଯିବେ

ଇସଲାମାବାଦ୍‌,୩୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳର ଏମ୍‌ପି ଅମିର ଲିଆକତ ତାଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ଅମିର ଇମ୍ରାନ୍‌ଙ୍କ ନାଁରେ ଅନେକ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ରାଜନୈତିକ ପରିବର୍ତ୍ତେ ଅଧିକ ବ୍ୟକ୍ତିଗତ ମନେହୁଏ। ଅମିର ଅଭିଯୋଗକରି କହିଛନ୍ତି, ଇମ୍ରାନଙ୍କୁ ତାଙ୍କ ତୃତୀୟ ସ୍ତ୍ରୀ ବରବାଦ କରିଦେଇଛନ୍ତି। ତାଙ୍କୁ ତୃତୀୟ ସ୍ତ୍ରୀ ମଧ୍ୟ ଛାଡ଼ି ଚାଲିଯିବେ।
ଅମିର ଲିଆକତ ତୃତୀୟ ଥର ପାଇଁ ଦାନିଆ ଶାହା ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ନିକଟରେ ଦାନିଆ ଅମିରଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣି ଛାଡ଼ପତ୍ର ମାଗିଥିଲେ। ଏସବୁ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ ଏବଂ ରିଅଲ ଇଷ୍ଟେଟ ବ୍ୟବସାୟୀ ମଲିକ ରିଆଜ୍‌ଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଅଡିଓ ଭାଇରାଲ ହୋଇଥିଲା। ଏଥିରେ ମଲିକ ରିଆଜ୍‌ ଇମ୍ରାନ୍‌ଙ୍କ ଚେୟାରକୁ ବଞ୍ଚାଇବା ପାଇଁ ପୁନଃ ସମନ୍ବୟ ବିଷୟରେ କଥା ହେଉଥିବା ଶୁଣାଯାଉଛି। ଏହି ଅଡିଓ ଶୁଣିବା ପରେ ଅମିର ଏବେ ଏକ ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଅଡିଓ ପୋଷ୍ଟକରି ସେ ଲେଖିଛନ୍ତି- ବନ୍ଧୁ, ତୁମେ ମୋ ଘର ଭାଙ୍ଗିଲ। ତୁମେ ମଧ୍ୟ ବାଦ୍‌ ପଡ଼ିବ ନାହିଁ। ମୋ ସ୍ତ୍ରୀ ଛାଡ଼ି ଚାଲିଗଲେ, ତୁମର ସ୍ତ୍ରୀ ମଧ୍ୟ ତୁମକୁ ଛାଡ଼ିଦେବ।
ଅମିର ଲିଆକତଙ୍କ ତୃତୀୟ ସ୍ତ୍ରୀ ଦାନିଆ ତାଙ୍କଠାରୁ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ। କୋର୍ଟରେ ଦାନିଆ ଅମିରଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଏହାଦ୍ୱାରା ଅମିର ଗଭୀର ଆଘାତ ପାଇଛନ୍ତି। ସେ କହିଛନ୍ତି, ମୋର ବିବାହ ଭାଙ୍ଗିବାରେ ଇମ୍ରାନ୍‌ ସରକାରରେ ସୂଚନା ମନ୍ତ୍ରୀ ଥିବା ଫୱାଦ ଚୌଧୁରୀଙ୍କର ହାତ ରହିଛି। ପୋଷ୍ଟରେ ଅମିର ଫୱାଦଙ୍କୁ ଦୋଷାରୋପ କରିଥିଲେ। ଏଥିରେ ଲେଖାଥିଲା, ମୁଁ ଖୁସି ଯେ, ଦାନିଆ ଆଉ କାହାକୁ ଖୁସି କରିବାକୁ ଏହା କରିଛନ୍ତି । କିନ୍ତୁ ସେ ଯାହା କରିଛନ୍ତି ତାହା ଠିକ୍‌ ନୁହେଁ। ମୁଁ ଫୱାଦଙ୍କ ବିଷୟରେ ମଧ୍ୟ ବହୁତ କିଛି ଜାଣିଛି ଏବଂ ଚାହିଁଲେ ଏହାକୁ ପ୍ରକାଶ କରିପାରିବି। କିନ୍ତୁ ମୁଁ ତାହା କରିବି ନାହିଁ। ଦାନିଆଙ୍କ ପାଇଁ ମୋର ଦ୍ୱାର ସବୁବେଳେ ଖୋଲା ରହିବ। ଅମିର ଲୋକମାନଙ୍କୁ ନିବେଦନ କରିଛନ୍ତି, ଯେତେବେଳେ ମୁଁ ଦେଶ ଛାଡ଼ି ଚାଲିଯିବି, ସେତେବେଳେ ଦାନିଆଙ୍କୁ ପରିହାସ କରିବେ ନାହିଁ ।

Share