ଧରିତ୍ରୀ ପ୍ରଭାବ: ନିଲମ୍ବିତ ହେଲେ୨ଶିକ୍ଷକ

ମୋରଡ଼ା,୩୧।୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଗାଁ ପଞ୍ଚାୟତର ଡେଙ୍ଗାଶୋଳ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୨ ଶିକ୍ଷକ ବିନା ଅନୁମତିରେ ଛୁଟିରେ ରହି ବିଦ୍ୟାଳୟକୁ ନ ଆସିବା କାରଣରୁ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଉଭୟଙ୍କୁ ନିଲମ୍ବନ କରିଛନ୍ତି। ଏ ସଂକ୍ରାନ୍ତରେ ଧରିତ୍ରୀରେ ଖବର ପ୍ରକାଶ ପରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ସୂଚନା ଅନୁଯାୟୀ, ଶିକ୍ଷୟିତ୍ରୀ କୁଇଲି ସୋରେନ ଓ ଶିକ୍ଷକ ସଞ୍ଜୀବ କୁମାର ମହାନ୍ତ ସୋମବାର ବିଦ୍ୟାଳୟକୁ ଆସି ନ ଥିଲେ। ପିଲାମାନେ ସ୍କୁଲକୁ ଆସି ବସି ବସି ଛୁଟି ସମୟରେ ଘରକୁ ଫେରିଥିଲେ। ଏପରିକି ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନଭୋଜନ ମଧ୍ୟ ଦିଆଯାଇ ନ ଥିଲା। ଘଟଣା ବାବଦରେ ଅବଗତ ହେବା ପରେ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୋରଡା ବିଇଓ ମନମୋହନ ହେମ୍ବ୍ରମଙ୍କୁ ତଦନ୍ତ ଓ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଇଓ ହେମ୍ବ୍ରମ ଏନେଇ ଏବିଇଓ଼ ପାଲୁ ହଁାସଦା ଓ଼ ସିଆରସିସି ହେମନ୍ତ ମହାନ୍ତଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ତେବେ ତଦନ୍ତ ରିପୋର୍ଟ ମିଳିବା ପରେ ବିଇଓ ହେମ୍ବ୍ରମ ଚିଠି ସଂଖ୍ୟା ୧୫୬୫ ଏବଂ ୧୫୭୦ରେ କାର୍ଯ୍ୟରତ ଦୁଇ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବନ ସମୟ ସୀମା ମଧ୍ୟରେ ଦୁଇ ଶିକ୍ଷକଙ୍କୁ ୬ ମାସ ପର୍ଯ୍ୟନ୍ତ ଅଧା ଦରମା ପ୍ରଦାନ କରାଯିବ। ସେହିପରି ଶିକ୍ଷୟିତ୍ରୀ ହେମ୍ବ୍ରମଙ୍କୁ କାକୁଡିହା ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଶିକ୍ଷକ ମହାନ୍ତଙ୍କୁ ପ୍ରାଥମିକ ବିଦ୍ୟାଳୟରେ ଅବସ୍ଥାନ ପାଇଁ ବିଇଓ ନିର୍ଦ୍ଦେଶ ଦେଇଛନ୍ତି।