ଗ୍ରାହକ ସେବାକେନ୍ଦ୍ର ମୁଖ୍ୟ ଜେଲଗଲେ

କୋକସରା,୮।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅଧୀନ ବଡ଼ପୋଡ଼ାଗୁଡ଼ା ଗ୍ରାମର ଆମପାଣି ଷ୍ଟେଟ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ଏକ ଗ୍ରାହକ ସେବାକେନ୍ଦ୍ରରୁ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡପ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବଡ଼ପୋଡ଼ାଗୁଡ଼ା ଗ୍ରାମର ଜଗଦୀଶ ଚନ୍ଦ୍ର ସିଂ (୩୦)। ତାଙ୍କଠାରୁ ନଗଦ ୧ ଲକ୍ଷ ଟଙ୍କା ଓ ଏକ ମୋବାଇଲ ଫୋନ ପୋଲିସ ଜବତ କରିଛି।
କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମର ଜଗଦୀଶ ଚନ୍ଦ୍ର ସିଂ ଆମପାଣି ଷ୍ଟେଟ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ଏକ ଗ୍ରାହକ ସେବା କେନ୍ଦ୍ର ନିଜ ନାମରେ ଖୋଲିଥିଲେ। ଗ୍ରାହକ ସେବାକେନ୍ଦ୍ରରେ ଆବାସ ଯୋଜନା, କୃଷିଋଣ, ସ୍ବୟଂ ସହାୟକ ଗୋଷ୍ଠୀ ଋଣ ଓ ଫାଇନାନ୍ସ କମ୍ପାନୀରୁ ଋଣ ପାଇଥିବା ହିତାଧିକାରୀ ଓ ଅନ୍ୟ ଜମାକାରୀଙ୍କ ଅଜାଣତରେ ଆଧାର ସଂଯୋଗ ଥିବା ବାୟୋମେଟ୍ରିକ ଟିପ ଚିହ୍ନ ନେଇ ସେମାନଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇଥିଲେ। ଜମାକାରୀମାନେ ଆକାଉଣ୍ଟ ଚେକ କରିବା ବେଳକୁ ସେମାନଙ୍କ ଜମାଖାତାରୁ ଟଙ୍କା ନ ଥିବା ଜାଣିବାକୁ ପାଇଥିଲେ। ଜମାକାରୀମାନେ ଆମପାଣି ଷ୍ଟେଟ ବ୍ୟାଙ୍କ ପରିଚାଳକଙ୍କୁ ଅଭିଯୋଗ କରିବା ପରେ ବ୍ୟାଙ୍କ ପକ୍ଷରୁ ସମସ୍ତ ଅଭିଯୋଗ କାରୀଜମାକାରୀଙ୍କ ଆକାଉଣ୍ଟରୁ ଜଗଦୀଶ ସିଂ ନିଜ ଏକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ଟଙ୍କା ଟ୍ରାନ୍ସଫର କରିଥିବା ଜଣାପଡିଥିଲା। ପରେ ବ୍ୟାଙ୍କ ମ୍ୟାନେଜର ବୈଚନ୍ଦ୍ର ବେଶ୍ରା ଗତ ୮।୦୮।୨୩ରେ ଆମପାଣି ଥାନାରେ ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଜଗଦୀଶ ଚନ୍ଦ୍ର ସିଂ ନାଁରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଫେରାର ଯୁବକ ତାମିଲନାଡୁର ତ୍ରିପୁରରେ ଥିବା ପ୍ରଥମେ ଟ୍ରାକିଂରେ ଜଣାପଡିଥିଲା। ଏହା ଭିତରେ ଜଗଦୀଶ ଅନ୍ୟ ସିମ କାର୍ଡ ବଦଳାଇ ବଲାଙ୍ଗୀର ଜିଲା ପାଟଣାଗଡ ଶଶୁର ଘରେ ଆତ୍ମଗୋପନ କରିଥିବା ନେଇ ପୋଲିସ ଖବର ପାଇ ଏକ ଟିମ୍‌ ଗଠନ କରି ପାଟଣାଗଡରୁ ଜଗଦୀଶଙ୍କୁ ଗିରଫ କରିଥିଲା। ଥାନାରେ ଅଟକ ରଖି ପଚରାଉଚୁରା କରିବା ପରେ ସମସ୍ତ ତଥ୍ୟ ହସ୍ତଗତ କରିଛି ପୋଲିସ। ମୋଟ ୨୬ଜଣ ଜମାକାରୀଙ୍କ ୮ ଲକ୍ଷ ୧୪ ହଜାର ୫ ଶହ ଟଙ୍କା ହଡପ କରିଥିବା ବର୍ତ୍ତମାନ ଜଣାପଡିଥିବା ବେଳେ ଦୀର୍ଘ ବର୍ଷରୁ ଶହ ଶହ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ଟଙ୍କା ହଡପ କରିଥିବା ଚର୍ଚ୍ଚା ହେଉଛି। ଏ ନେଇ ଥାନାରେ ଏକ ମାମଲା (ନଂ. ୭୧/୨୩) ରୁଜୁ ହୋଇଥିବା ବେଳେ ରବିବାର ଅଭିଯୁକ୍ତ ଜଗଦୀଶ ଚନ୍ଦ୍ର ସିଂଙ୍କୁ କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି।