ପାହାଡ଼ିଆ ପନିପରିବା ପାଇ ଗ୍ରାହକ ଖୁସି, ସ୍ବାଭାବିକ ଅବସ୍ଥା ଫେରୁଛି

କେନ୍ଦୁଝର, ୧୭ା୯ (ସ୍ବ.ପ୍ର.)-କରୋନା କଟକଣା କୋହଳ ହେବା ପରେ ଏବଂ ଯାତ୍ରୀବାହୀ ଗାଡି ଚଳାଚଳ କରିବା ଫଳରେ ଜିଲାରେ ସ୍ବାଭାବିକ ଅବସ୍ଥା ଫେରୁଛି। ମଲ, ଦୋକାନବଜାର ଆଦି ଖୋଲିବା ଫଳରେ ଜନଗହଳି ହେଉଛି। ଗ୍ରାମାଞ୍ଚଳର ଚାଷୀ, ମୂଲିଆ ତଥା ଛୋଟଛୋଟ ବ୍ୟବସାୟ କରୁଥିବା ଲୋକଙ୍କ ଯାତାୟାତ ବଢୁଛି। ଏଭଳି ପରିସ୍ଥିତିରେ ଖାଲି ଖାଲି ଲାଗୁଥିବା କେନ୍ଦୁଝର ସହରର ରାସ୍ତାଘାଟ ଏବେ ବନବାସୀଙ୍କ ଆଗମନ ଯୋଗୁ ସକାଳୁ ସେମାନଙ୍କ ଆବଶ୍ୟକତା ପୂରଣ ହେଲାଭଳି ଲାଗୁଛି। କେନ୍ଦୁଝର ଜିଲାରୁ ସରକାର କୋଟି କୋଟି ଟଙ୍କା ରାଜସ୍ବ ପାଉଥିଲେ ମଧ୍ୟ ଆଜିବି ଏହି ଜିଲାର ଅନେକ ଅଞ୍ଚଳ ବିକାଶଠାରୁ ବହୁତ ପଛରେ। କେନ୍ଦୁଝରବାସୀ ପାହାଡ଼ି ଲୋକଙ୍କଠାରୁ ଜୈବିକ ପନିପରିବା ପାଉଛନ୍ତି। କିନ୍ତୁ ବନବାସୀମାନେ କୌଣସି ସୁବିଧା ପାଉନାହାନ୍ତି।
ବନବାସୀମାନେ ପାହାଡ ଜଙ୍ଗଲରୁ ସଂଗୃହୀତ ଫଳମୂଳ, ଜଙ୍ଗଲଜାତ ଦ୍ରବ୍ୟ ଓ ଚାଷ କରିଥିବା ବିଭିନ୍ନ ପ୍ରକାରର ପତ୍ର, ଦାନ୍ତକାଠି, ମକା, କାକୁଡ଼ି, ଜହ୍ନି, କଲରା, ଅମୃତଭଣ୍ଡା, କଦଳୀ ଆଦି ଧରି ଆସି ସହରର ବିଭିନ୍ନ ସ୍ଥାନରେ ବସି ବିକ୍ରି କରଥିବା ଦେଖିବାକୁ ମିଳୁଛି। ଖାଉଟୀମାନେ ମଧ୍ୟ ବିନା ସାରରେ ଉତ୍ପାଦିତ ପାହାଡ଼ିଆ ଫଳମୂଳ ଓ ପନିପରିବା ପାଇ ବେଶ ଖୁସି ବ୍ୟକ୍ତ କରୁଛନ୍ତି। ତେବେ ପ୍ରଶାସନର କୋହଳ ବ୍ୟବସ୍ଥା ଯୋଗୁ ବେପାରୀଙ୍କ ପ୍ରାଦୂର୍ଭାବ ବଢ଼ୁଥିବାରୁ ବନବାସୀମାନେ କ୍ଷତିଗ୍ରସ୍ତ ହେଉଥିବାରୁ ସେମାନଙ୍କୁ ସେମାନେ କିଭଳି ଉଚିତମୂଲ୍ୟ ପାଇବେ ସେଥିପାଇଁ ସରକାର ବ୍ୟବସ୍ଥା କରିବାକୁ ଖାଉଟି ତଥା ସାମାଜିକ କର୍ମୀମାନେ ଦାବି କରୁଛନ୍ତି ା ସେହିପରି ଶୀତଳ ଭଣ୍ଡାର ନ ଥିବାରୁ ବନବାସୀମାନେ ବଳକା ଫଳମୂଳ, ପନିପରିବା ସାଇତି ରଖିପାରୁନାହାନ୍ତି। ବଳକା ସାମଗ୍ରୀକୁ ପୁଣି ଥରେ ବୋହିକି ନେବା କଷ୍ଟକର ହେଉଛି। ଏଣୁ ବାଧ୍ୟ ହୋଇ ସେମାନେ କମ ଦରରେ ବିକିଦେଉଛନ୍ତି କିମ୍ବା ବାହାରେ ଫୋପାଡ଼ି ପଳାଇଯାଉଛନ୍ତି। ସେମାନେ ସେଭଳି ପରିଶ୍ରମ ମୁତାବକ ଲାଭ ପାଇପାରୁନାହାନ୍ତି ବୋଲି ବନବାସୀ ରମେଶ ନାଏକ କହିଛନ୍ତି। ଏପରିକି ବର୍ଷା ଖରାରେ ବିଶ୍ରାମ ନେବାକୁ ଜାଗା ନାହିଁ। ରାତି ହେଲେ ଆଶ୍ରୟ ପାଇଁ ବ୍ୟବସ୍ଥା ନାହିଁ। ଏଣୁ ଅନେକ ସମୟରେ ନିର୍ଯାତିତ ଓ ହଇରାଣ ହରକତ ହେବାକୁ ପଡୁଛି ବୋଲି ସେମାନେ କହିଛନ୍ତି।