ପାହାଡ଼ କାଟି ଜଙ୍ଗଲ ନଷ୍ଟ କଲେ ଦୁର୍ବୃତ୍ତ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ଦାରିଙ୍ଗବାଡ଼ି,୨୯ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାମୁଣୀଗାଁ ବନାଞ୍ଚଳ ହାତୀମୁଣ୍ଡ ପଞ୍ଚାୟତ ଋଷିମାଳ ପାହାଡ଼ର ସଂରକ୍ଷିତ ଜଙ୍ଗଲକୁ ଦୁର୍ବୃତ୍ତମାନେ କାଟି ସଫା କରିଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ପାହାଡ଼ ମୁଣ୍ଡିରେ ରହିଥିବା ବାରୁଣୀ ସ୍ନାନ ମଣ୍ଡପ ନିକଟରେ ଏଭଳି ଜଙ୍ଗଲକୁ କାଟି ପଟ୍ଟା ପ୍ରସ୍ତୁତ କରି ବାହାର ଜିଲାକୁ ଚୋରାଚାଲାଣ କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। କିଛି ଦୁର୍ବୃତ୍ତ ଏହି ବଡ଼ବଡ଼ ଗଛକୁ କାଟିବା ପାଇଁ ମେଶିନର ବ୍ୟବହାର କରୁଥିବା ବେଳେ ଧରାପଡ଼ିଯିବା ଭୟରେ ସେମାନେ ଜଙ୍ଗଲର ଗୋଟିଏ ସ୍ଥାନ ବଦଳରେ ସେମାନେ ପ୍ରାୟ ୩ରୁ ୫ କିମି ପରିସର ମଧ୍ୟରେ ବୁଲି ବୁଲି କାଟୁଥିବା ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖି କହିଛନ୍ତି। ମାଫିଆଙ୍କ ଭୟରେ ଉକ୍ତ ଅଞ୍ଚଳରେ କେହି ମୁହଁ ଖୋଲୁ ନ ଥିବା ବେଳେ ଗତ ଏକ ସପ୍ତାହ ହେଲା ଅଧିକ ଜଙ୍ଗଲ କଟାଯାଉଛି। କିଛି ଲୋକ ଗଛଗୁଡିକୁ କାଟି ନେଇ ସ୍ଥାନ ଛାଡ଼ି ଯାଉଥିବା ବେଳେ ଆଉ କିଛି ଲୋକ ଗଛଗୁଡିକୁ ପଟ୍ଟା ପ୍ରସ୍ତୁତ କରିଦେଉଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ସଂରକ୍ଷିତ ଜଙ୍ଗଲଟି ଗଞ୍ଜାମ ଓ ଗଜପତି ସୀମାରେ ରହିଛି। ବନ ବିଭାଗର ପାଟ୍ରୋଲିଂ ହେଉ ନ ଥିବା ବେଳେ ମାଫିଆମାନେ ଏହାର ସୁଯୋଗ ନେଇ ଜଙ୍ଗଲ କାଟି ସଫା କରିଦେଲେଣି। ଏନେଇ ବନାଞ୍ଚଳ ଅଧିକାରୀ ବୀରେନ୍ଦ୍ର ପଟ୍ଟନାୟକ କହିଛନ୍ତି, ଏବେ ଉକ୍ତ ପାହାଡ଼କୁ କାଟି ରାସ୍ତା କାର୍ଯ୍ୟ ଚାଲିଛି। ଏହାର ସୁଯୋଗ ନେଇ କିଛି ଲୋକ ଉକ୍ତ ଅଞ୍ଚଳରେ ଘର ନିର୍ମାଣ କରିବା ପାଇଁ ଜଙ୍ଗଲକୁ କାଟି ଦେଉଛନ୍ତି। ଗତ କିଛିଦିନ ତଳେ ପାଟ୍ରୋଲିଂରେ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ବନ କର୍ମଚାରୀଙ୍କୁ ଦେଖି ଦୌଡ଼ି ପଳାଇଥିଲେ ବୋଲି ସେ କହିଛନ୍ତି। ବନ ବିଭାଗ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ବୋଲି କହିବା ସହ ଭାଇରାଲ ଭିଡିଓର ସତ୍ୟତା ଯାଞ୍ଚ କରାଯିବ ବୋଲି କହିଛନ୍ତି।