ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅବାଧ ଗଛକଟା

କେନ୍ଦ୍ରାପଡ଼ା, ୧୬ା୬ (ଜଗନ୍ନାଥ ଧଳ): ପରିବେଶକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଉଛି। ବର୍ଜ୍ୟବସ୍ତୁ, ଯାନବାହନ ଚଳାଚଳ, ଶିଳ୍ପ ଆଦି ମାଧ୍ୟମରେ ପରିବେଶ ପ୍ରଦୂଷିତ ହେଉଛି। ସମ୍ଭାବ୍ୟ ପରିସ୍ଥିତିକୁ ନେଇ ବିଶ୍ୱବ୍ୟାପୀ ସମ୍ମିଳନୀ ହେବା ସହ ପ୍ରତି ଦେଶ ଦାୟିତ୍ୱବାନ ହେବାକୁ ପରାମର୍ଶ ଦିଆଯାଉଛି। ଏହିକ୍ରମରେ ଭାରତ ସରକାର ବୃକ୍ଷରୋପଣଠାରୁ ଆରମ୍ଭ କରି ଅନେକ ପଦକ୍ଷେପ ନେଉଛନ୍ତି। ଅନୁରୂପ ଭାବେ ପ୍ରତି ରାଜ୍ୟ ସରକାର ମଧ୍ୟ ପରିବେଶ ସୁରକ୍ଷା ଉପରେ ଦାୟିତ୍ୱବାନ ଥିବାବେଳେ ପ୍ରତ୍ୟେକ ଜିଲାରେ ବିଶ୍ୱ ପରିବେଶ ଦିବସବରେ ଏସବୁ ଉପରେ ବିସ୍ତୃତ ଆଲୋଚନା ସହ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଉଛି। ବିଶ୍ୱ ପରିବେଶ ଦିବସ ପାଳନ ବେଳେ ଗଛ ନ କାଟି ବହୁ ପରିମାଣରେ ଗଛ ଲଗାଇ ପରିବେଶକୁ ସୁରକ୍ଷା ରଖିବାକୁ ସଚେତନ କରାଯାଉଥିବା ବେଳେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଥିବା ୪ ଫୁଟ ଗୋଲେଇ ୨ଟି ପୁରୁଣା ଗଛକୁ ୧୩ ତାରିଖରେ କାଟି ଜଣେ ବ୍ୟକ୍ତିକୁ ବିକ୍ରି କରିଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ କରାଯାଇଛି। ମାତ୍ର ଏହାର ୭ ଦିନ ପରେ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ପରିସର ସରକାରୀ ଜମିରୁ ପ୍ରାୟ ୫୦ ବର୍ଷର ପୁରୁଣା ବଡ଼ ୨ଟି ଦେବଦାରୁ ଗଛକୁ କରତ ଲଗାଇ ନିର୍ଭୟରେ କାଟି ବିକ୍ରି କରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ସେପରି କୌଣସି ଅନୁମତି ତହସିଲ ଅଫିସରୁ ଯାଇନାହଁି। ତେବେ ସରକାରୀ ଜାଗାରୁ କିପରି ସେମାନେ ଏତେବଡ଼ ଗଛକୁ କାଟିବାକୁ ସାହସ ଜୁଟାଇଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ସରକାରୀ ସ୍ଥାନରୁ ଗଛ କାଟିବା ପୂର୍ବରୁ ବନ ବିଭାଗର ଅନୁମତି ଜରୁରୀ। ଏହାବାଦ୍‌ ସରକାରୀ ଜମିରୁ ଯେଉଁ ଗଛ କଟା ହେବ, ତାହାକୁ ତହସିଲଦାର ନିଲାମ କରିବେ। ମାତ୍ର ତହସିଲଦାର ଏ ବିଷୟରେ ଜାଣି ନ ଥିବା ବେଳେ କିପରି ସେମାନେ ବିନା ଅନୁମତିରେ ଗଛ କାଟି ଦେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି।
ପଟ୍ଟାମୁଣ୍ଡାଇ ଅଞ୍ଚଳରେ କିଛିଦିନ ହେବ କାଠ ବ୍ୟବସାୟୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ୨୦୨୨ ଅକ୍ଟୋବର ୨୩ରେ ତହସିଲଦାରଙ୍କ କ୍ୱାର୍ଟର୍ସ ନିକଟରୁ ୫ରୁ ଅଧିକ ମୂଲ୍ୟବାନ ଶିଶୁଗଛ ଦୁର୍ବୃତ୍ତ କାଟି ନେଇଥିଲେ। ଏହି କାଠର ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ହେବ। ସେହିଭଳି ବାଲିପାଟଣା ପଞ୍ଚାୟତ ଖଡ଼ିପାଳ ରାସ୍ତାରେ ପ୍ରାୟ ୫୦୦ରୁ ଅଧିକ ତାଳଗଛ ଦୁର୍ବୃତ୍ତ କାଟି ନେଇଗଲେ। ସେହିପରି ମାର୍ଚ୍ଚ ୩୦ରେ ବାଇପାସ୍‌ ନିକଟରୁ ବିଶାଳ ଚାକୁଣ୍ଡା ଗଛ କଟା ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ବନ ଓ ରାଜସ୍ବ ବିଭାଗ ଚୁପ ବସିଛନ୍ତି। ମଙ୍ଗଳବାର ୧୩ ତାରିଖରେ ଦୁଇଟି ବିଶାଳକାୟ ଦେବଦାରୁ ଗଛ କଟାହେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏହି ଗଛକଟାକୁ ନେଇ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଏ ବିଷୟରେ ମୁଁ ଅବଗତ ନାହଁି, ମାତ୍ର ସ୍ଥାନୀୟ ରେଞ୍ଜରଙ୍କୁ ପଠାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଦିନକୁ ଦିନ ଜଙ୍ଗଲ କ୍ଷୟ ସାଙ୍ଗକୁ ଅବାଧ ଗଛକଟାକୁ ନେଇ ପରିବେଶବିତ୍‌ ବିଭୂତି ମହାପାତ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ନିକଟରେ ପରିବେଶ ଦିବସ ଯାଇଛି। ହେଲେ ଏଠାରେ ଯେଉଁଭଳି ବେଧଡ଼କ ଗଛକଟା ଚାଲିଛି ତାହା ପରିବେଶକୁ ବିପଦରେ ପକାଇବ। ଏତେ ପରିମାଣର ଗଛ କଟା ଯାଉଥିଲେ ସୁଦ୍ଧା ବନ ବିଭାଗ ଚୁପ୍‌ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି।

Share