Advertisement

ପଢୁଥିବା ବେଳେ ଘରେ ପଶି ଛାତ୍ରଙ୍କ ଗଳା କାଟି ଛୁ ମାରିଲେ ଯୁବକ

ଖୋର୍ଦ୍ଧା,୧ା୧୧(ପ୍ରଭାତ ପାଣିଗ୍ରାହୀ): ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଜଟଣୀ ଥାନା ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପରୀକ୍ଷା ଥିବାରୁ ଜଣେ ଛାତ୍ର ଘରେ ବସି ପାଠ ପଢୁଥିବା ସମୟରେ କେହି ଜଣେ ଯୁବକ ତାଙ୍କ ଘର ଭିତରେ ପଶି ଛାତ୍ରଙ୍କ ଗଳା କାଟି ଫେରାର ହୋଇଯାଇଛନ୍ତି।

ଜଟଣୀ ଥାନା ବେଣାପଞ୍ଜରୀ ଗାଁର ଶିକ୍ଷକ ମନୋଜ କୁମାର ପାଲଟାସିଂହଙ୍କ ପୁଅ ଶୁଭମ୍‌ ଜଣେ ମେଧାବୀ ଛାତ୍ର ଥିଲେ। ସେ ଆଦର୍ଶ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପଢୁଥିଲେ। ଆସନ୍ତାକାଲି ଶୁଭମ୍‌ଙ୍କ ପରୀକ୍ଷା ଥିବାରୁ ସେ ତଳ ମହଲାରେ ଥିବା ଏକ ଘରେ ବସି ପଢୁଥିଲେ। ଉପର ମହଲାରେ ଶୁଭମ୍‌ଙ୍କ ବାପା ଓ ଭଉଣୀ ଟ୍ୟୁଶନ କରୁଥିଲେ। ମା’ ରୋଷେଇ କରୁଥିବା ବେଳେ ଶୁଭମ୍‌ଙ୍କ ଚିତ୍କାର ଶୁଣି ତଳକୁ ଆସିଥିଲେ। ଏହି ସମୟରେ ଜଣେ ଯୁବକ ଚାଲିଯାଉଥିବା ସେ ଦେଖିବାକୁ ପାଇଥିଲେ। ଶୁଭମ୍‌ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚଟାଣରେ ପଡ଼ିଥିଲେ। ତାଙ୍କ ପେଟ ଓ ବେକରେ ଛୁରାମାଡ଼ ହୋଇଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଶୁଭମ୍‌ଙ୍କୁ ମୃତ ଘୋଷଣା କରିଥିଲେ। ଖୋର୍ଦ୍ଧା ଓ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମନୋଜଙ୍କ ପରିବାର ସହ କାହାର ସହ ଶତ୍ରୁତା ନ ଥିବା ତାଙ୍କ ସମ୍ପର୍କୀୟ ମନୋରଞ୍ଜନ ପ୍ରତିହାରୀ କହିଛନ୍ତି। ତେବେ କିଏ କାହିଁକି ଶୁଭମ୍‌ଙ୍କୁ ହତ୍ୟା କଲେ ତାହା ବର୍ତ୍ତମାନସୁଦ୍ଧା ଜଣାପଡ଼ିନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: murder