ଇବ୍ରାର ଖାଁ
ପର ଆପ୍ତବାକ୍ୟଟି କାହିଁ କେଉଁକାଳୁ ଆମ ସମାଜରେ ପ୍ରଚଳିତ ହୋଇଆସୁଛି। ଆଜିର ସାମାଜିକ ସ୍ଥିତାବସ୍ଥାକୁ ଅନୁଶୀଳନ କଲେ ଏହି ଉକ୍ତିର ପ୍ରାସଙ୍ଗିକତା ରହିଥିବାର ହୃଦ୍ବୋଧ ହୁଏ। ନିଜକୁ ସଭ୍ୟ, ଶିକ୍ଷିତ ବୋଲାଉଥିବା ଆଜିର ମଣିଷ ସ୍ବାର୍ଥ ସିଦ୍ଧି ପାଇଁ ଜଳ, ସ୍ଥଳ, ଆକାଶଠାରୁ ଆରମ୍ଭ କରି ମାଟି, ପାଣି, ପବନ ଏବଂ ପାହାଡ଼ ପର୍ଯ୍ୟନ୍ତ ଯେତେସବୁ ସ୍ରଷ୍ଟାଙ୍କ ସୃଷ୍ଟିରେ ପ୍ରାକୃତିକ ସମ୍ପଦ ରହିଛି; ସବୁ କିଛି ଉପରେ ଯେପରି ଅହରହ ଅତ୍ୟାଚାର କରିଚାଲିଛି ତା’ର ଭୟାବହ ପରିଣତି ସେହି ମଣିଷ ଭୋଗିବନି ତ ଆଉ କିଏ ଭୋଗିବ? କାରଣ ସବୁ କ୍ରିୟାର ପ୍ରତିକ୍ରିୟା ଅଛି। ଏହା ହିଁ ସୃଷ୍ଟିର ନିୟମ। ଏହାକୁ କେବେହେଲେ ଅବଜ୍ଞା କରାଯାଇ ନ ପାରେ।
ଜନସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ସମସ୍ତଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଆବଶ୍ୟକତା ରହିଛି। ଏହି ସବୁର ପୂର୍ତ୍ତି ପାଇଁ ବୈଜ୍ଞାନିକ ପଦ୍ଧତିରେ ହେଉ ଅଥବା ମେଶିନ ସାହାଯ୍ୟରେ ପ୍ରକୃତି ଉପରେ ମଣିଷ ଯେପରି ଦିନରାତି ବଳ ପ୍ରୟୋଗ କରିଚାଲିଛି, ତାହା ଦିନେନା ଦିନେ ନିଶ୍ଚୟ ଘାତକ ସାବ୍ୟସ୍ତ ହେବ, ଏଥିରେ ସନ୍ଦେହ ନାହିଁ। ଖାଦ୍ୟ ସମସ୍ୟାକୁ ଦୂର କରିବା ସକାଶେ ଅଧିକ ଅମଳକ୍ଷମ ଫସଲ ଉତ୍ପାଦନ ପାଇଁ ଆମେ ଚାଷଜମିରେ ରାସାୟନିକ ସାର ସହ କୀଟନାଶକ ପ୍ରୟୋଗ କରିଚାଲିଛୁ। ସେଥିରେ ମାଟିର ଉତ୍ପାଦିକା ଶକ୍ତି କ୍ଷୁଣ୍ଣ ହେବା ସହିତ ଖାଦ୍ୟଶସ୍ୟରେ ରାସାୟନିକ ସାରର ବିଷାକ୍ତ ଗୁଣବତ୍ତା ରହୁଛି। ଯେଉଁ ଆହାର ଆମେ ପ୍ରତିଦିନ ଗ୍ରହଣ କରୁଛୁ, ତାହା ଶୁଦ୍ଧ ଖାଦ୍ୟ ନ ହୋଇ ବିଷଯୁକ୍ତ ହେଉଥିବାରୁ ସମୟକ୍ରମେ ବହୁ ଦୁରାରୋଗ୍ୟର ଶିକାର ହେଉଛୁ।
ଅଧିକ ପରିମାଣର ଜଙ୍ଗଲ ସମ୍ପଦକୁ ଧ୍ୱଂସ କରାଯାଉଛି। ଫଳରେ ବାୟୁମଣ୍ଡଳରେ ଅମ୍ଳଜାନ ମାତ୍ରା କମିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନର କାରଣ ପାଲଟୁଛି। କଳକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ସହ ଗାଡ଼ି ମୋଟରରୁ ବାହାରୁଥିବା ଅଙ୍ଗାରକାମ୍ଳଯୁକ୍ତ ଧୂଆଁ ମିଶି ବାୟୁମଣ୍ଡଳକୁ ପ୍ରଦୂଷିତ କରିଦେଉଥିବାରୁ ଏବେ ସହରାଞ୍ଚଳରେ ବିଶୁଦ୍ଧ ବାୟୁ ଟିକିଏ ପାଇବା କଷ୍ଟକର ହେଲାଣି। ଖାଲି ଯେ ଜଙ୍ଗଲ ସମ୍ପଦକୁ ନଷ୍ଟ କରାଯାଉଛି ତା’ ନୁହେଁ, ବରଂ ରାସ୍ତାଘାଟ ଏବଂ ଗଢ଼ି ଉଠୁଥିବା କୋଠାବାଡ଼ି ନିର୍ମାଣ ପାଇଁ ପାହାଡ଼ ପର୍ବତ ସବୁକୁ କାଟି ନିୟୁତ ନିୟୁତ ଟନ୍ କଂକ୍ରିଟ୍ ବ୍ୟବହାର କରି ଯେଉଁଭଳି କଂକ୍ରିଟ୍ ଜଙ୍ଗଲମାନ ସୃଷ୍ଟି କରାଯାଉଛି, ସେଥିଯୋଗୁ ବିଶ୍ୱତାପନ ଏବେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମରୁଡ଼ି ପରିସ୍ଥିତି ଉପୁଜୁଛି। ବେଳେବେଳେ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ବିଶ୍ୱତାପନ ବୃଦ୍ଧି ପାଉଥିବାରୁ ଗ୍ଲାସିୟର ସବୁ ତରଳି ସମୁଦ୍ର ଜଳସ୍ତରକୁ ଯେଉଁଭଳି ଭାବରେ ବୃଦ୍ଧି କରିବାରେ ଲାଗିଛି, ଆଉ କିଛି ବର୍ଷ ପରେ ପୃଥିବୀର କିଛି ଅଂଶ ଜଳମଗ୍ନ ହେବାର ସମ୍ଭାବନା ରହିଛି। ଗ୍ଲୋବାଲ୍ ଓ୍ବର୍ମିଂକୁ ନେଇ ବୈଜ୍ଞାନିକମାନେ ଯେପରି ଚିନ୍ତା ପ୍ରକଟ କଲେଣି, ସେଥିରେ ସଚେତନ ହୋଇ ବେଳହୁଁ ପଦକ୍ଷେପ ଗ୍ରହଣ ନ କଲେ ଏ ସୁନ୍ଦର ପୃଥିବୀ ଧ୍ୱଂସ ହୋଇଯିବ। ବର୍ଜ୍ୟବସ୍ତୁ ସହ କଳକାରଖାନାରୁ ନିର୍ଗତ ରାସାୟନିକ ଦ୍ରବ୍ୟସବୁ ନଦୀମାନଙ୍କରେ ମିଶୁଥିବାରୁ ଦେଶର ଅଧିକାଂଶ ନଦୀଜଳ ଜହର ପାଲଟିଗଲାଣି। ଜଳ ସମ୍ପଦର ବ୍ୟାପକ ଦୁରୁପଯୋଗ ଯୋଗୁ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ସମଗ୍ର ଦେଶରେ ପାନୀୟ ଜଳ ଏବେ ବଡ଼ ସମସ୍ୟା ରୂପେ ଉଭା ହେଲାଣି।
ଆଧୁନିକତା ନାଁରେ ଅପସଂସ୍କୃତିକୁ ଆଜିର ଯୁବପିଢ଼ି ଆପଣେଇ ନେଉଥିବାରୁ ଆଚରଣ, ଉଚ୍ଚାରଣ, ଚାଲିଚଳଣ, ଆଚର ବିଚାର, ଖାଇବା, ପିନ୍ଧିବା ଏପରିକି ଜୀବନଶୈଳୀରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ତା’ର ଶେଷ ପରିଣତି ଯେ କ’ଣ ହେବ ତାହା ଏବେଠାରୁ କଳନା କରିବା ନିରର୍ଥକ ମାତ୍ର। ଘରୋଇ ଖାଦ୍ୟ ବଦଳରେ ଜିହ୍ବାତୃପ୍ତି ପାଇଁ ସୁପ୍, ଚିକେନ, ମଟନ, ବିରିୟାନୀ ଇତ୍ୟାଦି ତାମସିକ ଖାଦ୍ୟ ସାଙ୍ଗକୁ ମଦ୍ୟପାନ, ଯୁବ ମନରେ ଦୁର୍ଗୁଣ ବୃଦ୍ଧି କରୁଛି। ଫଳରେ ସମାଜରେ ଅଘଟଣ ସବୁ ସଂଘଟିତ ହେବାରେ ଲାଗିଛି। ନିଶା ସେବନକାରୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବାରୁ ପାରିବାରିକ ଜୀବନ କଳହ ସର୍ବସ୍ବ ହୋଇ ତଳିତଳାନ୍ତ ହେଉଛି। ମଦ୍ୟପାନ କରି ଦୁରାରୋଗ୍ୟରେ ପୀଡ଼ିତ ଅନେକଙ୍କ ଜୀବନଦୀପ ଅକାଳରେ ଲିଭି ଯାଉଥିଲେ ମଧ୍ୟ ନିଶା ନିବାରଣ ଦିଗରେ ସରକାର କିମ୍ବା ସମାଜ କେହି ବି ତତ୍ପର ଥିବାପରି ମନେହେଉନି। ଫଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ସହ ଚୋରି ଡକାୟତିଠାରୁ ଆରମ୍ଭ କରି ଜଘନ୍ୟ ଅପରାଧ ବୃଦ୍ଧି ପାଉଥିବାରୁ ଶାନ୍ତି ସହାବସ୍ଥାନ ଅତିମାତ୍ରାରେ ବ୍ୟାହତ ହେଲାଣି।
ଭୌତିକ ସୁଖ ପଛରେ ଧାଉଁଥିବା ମଣିଷ ଆଧ୍ୟାତ୍ମିକ ଚିନ୍ତାରୁ କ୍ରମେ ଦୂରେଇ ଯାଉଥିବାରୁ ନ୍ୟାୟ ଅନ୍ୟାୟର ବିଚାର ନ କରି ଯେଉଁ କାର୍ଯ୍ୟମାନ ସମ୍ପାଦନ କରୁଛି, ତାହା ସୁସ୍ଥ ସମାଜ ପାଇଁ ଶୁଭଙ୍କର ନୁହେଁ। ବୃଥା ଅହମିକାରେ ଭ୍ରମିତ ମଣିଷ ରାତାରାତି ବଡ଼ଲୋକ ହେବାର ଦୁର୍ବାର ଲାଳସାକୁ ଚରିତାର୍ଥ କରିବା ପାଇଁ ନକଲି ଖାଦ୍ୟପ୍ରସ୍ତୁତିର କାରଖାନା ବସାଇ ଅପମିଶ୍ରିତ ବିଷାକ୍ତ ଉତ୍ପାଦ ସବୁକୁ ଅସଲି କହି ଯେପରି ବଜାରରେ ପ୍ରଚଳନ କରୁଛି, ତାହା ଯେତିକି ନିନ୍ଦନୀୟ ସେତିକି ଅକ୍ଷମଣୀୟ। ଗଁାଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବିପୁଳ ଅର୍ଥ ବ୍ୟୟରେ ଧାର୍ମିକ ଅନୁଷ୍ଠାନ ସବୁ ଗଢ଼ି ଉଠୁଥିଲେ ମଧ୍ୟ ପରମାତ୍ମାଙ୍କ ଆଶିଷ ପାଇଁ ଯେଉଁ ଶୁଦ୍ଧଚିତ୍ତ ଆଉ ଭକ୍ତିଭାବ ଆବଶ୍ୟକ, ତାହା ଆଜି ମଣିଷ ପାଖରେ ନ ଥିବାରୁ ହିତାହିତଜ୍ଞାନ ଥାଇ ମଧ୍ୟ ମଣିଷ ଆଜି ଅମଣିଷ ପାଲଟିଯାଉଛି। ଏହି କାରଣରୁ ସମାଜରେ ଅପରାଧ ପ୍ରବଣତା ଅତିମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି।
ମଣିଷର ଏହି ଆସୁରିକ ପ୍ରବୃତ୍ତି ଦୁନିଆରେ ପାପଭାରକୁ ବଢ଼ାଇ ଚାଲିଥିବାରୁ ନିଜ ଅଲକ୍ଷ୍ୟରେ ମଣିଷ ବିନାଶର ଦ୍ୱାରଦେଶରେ ପହଞ୍ଚତ୍ ଗଲାଣି। ଧରାପୃଷ୍ଠରେ ପାପ ଭାର ବୃଦ୍ଧି ହେଲେ ସର୍ବଶକ୍ତିମାନ୍ ସ୍ରଷ୍ଟା ନିଶ୍ଚୟ ଦଣ୍ଡିବ, ଏହା ସବୁ ଧର୍ମର ଧର୍ମଗ୍ରନ୍ଥମାନଙ୍କରେ ସୂଚେଇ ଦିଆଯାଇଛି। ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଦୁରାଚାରୀମାନଙ୍କୁ ବିନାଶ କରି ଏହି ଧରାଧାମରେ ଶାନ୍ତି ସହାବସ୍ଥାନ ପ୍ରତିଷ୍ଠା କରିବାର ଅନେକ ପ୍ରମାଣ ଆମ ପୁରାଣମାନଙ୍କରେ ଦେଖିବାକୁ ମିଳେ। ସମଗ୍ର ଜୀବଜଗତର ମଙ୍ଗଳ ପାଇଁ ପ୍ରାକୃତିକ ସମ୍ପଦକୁ ଧ୍ୱଂସ ନ କରି ସେଗୁଡ଼ିକର ସ୍ଥିତାବସ୍ଥାକୁ ସୁରକ୍ଷିତ ରଖାଯାଇପାରିଲେ ବିଶ୍ୱରେ ଘଟୁଥିବା ଅନେକ ବିଲକ୍ଷଣକୁ ପ୍ରତିହତ କରାଯାଇପାରିବ। ସମାଜର ପ୍ରତ୍ୟେକ ମଣିଷ ଆତ୍ମଚିନ୍ତନ କରି ନିଜ ଚାରିତ୍ରିକ ଦୋଷତ୍ରୁଟିକୁ ସୁଧାରି ନେବାର ଆବଶ୍ୟକତା ରହିଛି। ନିଜ କଲାକର୍ମର ପ୍ରାୟଶ୍ଚିତ୍ତ ପାଇଁ ଅନୁତପ୍ତ ହୋଇ ସେହି ସର୍ବଶକ୍ତିମାନ୍ ସ୍ରଷ୍ଟାଙ୍କ ପାଖରେ କ୍ଷମା ପ୍ରାର୍ଥନା କରି, ନିଜ ଆତ୍ମାର ଶୁଦ୍ଧୀକରଣ କରିବା ଆବଶ୍ୟକ। ତା’ ନ ହେଲେ ‘ଆପଣା ହସ୍ତେ ଜିହ୍ବା ଛେଦି, କେ ତା’ର ଅଛି ପ୍ରତିବାଦୀ’ ନ୍ୟାୟରେ ଆମେ ନିଜେ ନିଜ ଧ୍ୱଂସର କାରଣ ହେବା।
ବରଦାପଡ଼ା, ବିଶ୍ୱାଳପଡ଼ା, ରେଞ୍ଚ, ଖୋର୍ଦ୍ଧା
ମୋ:୯୩୩୭୬୦୧୭୦୫