୩୧ ଜାନୁୟାରୀ ପର୍ଯ୍ୟନ୍ତ ରାଲି-ରୋଡ୍‌ ଶୋ’ ଉପରେ କଟକଣା…

ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ହେବାକୁ ଥିବା ରାଲି ଏବଂ ରୋଡ୍‌ ଶୋ’ ଉପରେ ରୋକ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଶନିବାର ଏକ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପୂର୍ବରୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ରାଲି ଏବଂ ରୋଡ ଶୋ’ ଉପରେ ରୋକ ଲାଗୁ କରାଯାଇଥିଲା। ଏହାପରେ ଆୟୋଗ ପକ୍ଷରୁ ବୈଠକ ପରେ ରୋକ ଅବଧିରେ ପୁଣି ୭ ଦିନ ବୃଦ୍ଧି କରାଯାଇ ଏହାକୁ ଜାନୁୟାରୀ ୨୩ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ଏବେ ପୁଣି ଏହାକୁ ବଢ଼ାଇ ଦିଆଯାଇଛି।

ଜାନୁୟାରୀ ୨୮ରୁ ପ୍ରଚାର କଟକଣାରେ କିଛି କୋହଳ କରାଯିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି। ୫ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ପରେ ଏଭଳି ପଦକ୍ଷେପ ଗ୍ରହଣ ହୋଇଛି। ଛୋଟ ଏବଂ ଇନଡୋର ରାଲି ଉପରେ ନିର୍ବାଚନ କମିଶନଙ୍କ ପକ୍ଷରୁ କଟକଣା କୋହଳ କରାଯାଇଛି।

ଏହା ସହିତ ଘର ଘର ବୁଲି ପ୍ରଚାରକୁ ଅନୁମତି ପ୍ରଦାନ କରାଯାଇଛି। ସେହିପରି ଭର୍ଚୁଆଲ ମାଧ୍ୟମରେ ମଧ୍ୟ ପ୍ରଚାର କରିବାକୁ ଅନୁମତି ପ୍ରଦାନ କରାଯାଇଛି। ବିନା ରାଲିରେ କିଭଳି ନିର୍ବାଚନ ପ୍ରଚାର କରାଯିବ ସେ ନେଇ ରାଜନୈତିକ ଦଳ ମଧ୍ୟରେ ଭାଳେଣି ପଡ଼ିଛି।

Share