ବାଲିଯାତ୍ରା: ଆଜିଠୁ ବ୍ୟବସାୟୀଙ୍କୁ ମିଳିବ ଜାଗା

କଟକ ଅଫିସ,୩ା୧୧: ଆସନ୍ତା ୮ ତାରିଖରେ କଟକ ବାଲିଯାତ୍ରା। ଏଥିପାଇଁ ଉଭୟ ତଳ ଓ ଉପର ପଡିଆ ଚଳଚଞ୍ଚଳ ହୋଇପଡିଛି। କରୋନା ମହାମାରୀ ଯୋଗୁ ୨ ବର୍ଷ ଧରି ବନ୍ଦ ରହିଥିବାବେଳେ ଚଳିତବର୍ଷ ବାଲିଯାତ୍ରାରେ ବହୁସଂଖ୍ୟକ ଲୋକଙ୍କ ସମାଗମ ହେବା ଆଶା କରାଯାଉଛି। ତେଣୁ ବାଲିଯାତ୍ରାରେ ଏଥର ଅନେକ କିଛି ନୂତନତା ଦେଖିବାକୁ ମିଳିଛି। ବାଲିଯାତ୍ରା ପଡିଆରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ ବ୍ୟବସ୍ଥା ସାଙ୍ଗକୁ ବାଲୁକାକଳା ପ୍ରଦର୍ଶନ କରାଯିବ। ସେହିପରି ମହାନଦୀ ଜଳରାଶିରେ ଲୋକମାନେ ବୋଟିଂର ମଜା ନେଇପାରିବେ। ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’କୁ ପରୀକ୍ଷାମୂଳକ ଭାବେ ପ୍ରଦର୍ଶନ କରାଯାଉଛି। ଏହାକୁ ଦେଖିବା ପାଇଁ ବାଲିଯାତ୍ରା ପଡିଆରେ ଲୋକଙ୍କ ଭିଡ ଜମୁଛି। ସେହିପରି ଚଳିତବର୍ଷ ଧବଳେଶ୍ୱର ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାରର ପ୍ରତିକୃତି ନିର୍ମାଣ କରାଯାଉଛି। ଏଥିସହ ଭିନ୍ନକ୍ଷମ ତଥା ବୟସ୍କ ଲୋକମାନେ ବାଲିଯାତ୍ରା ବୁଲିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ନାମରେ ଏକ ପ୍ରବେଶ ପଥର ନାମକରଣ ସହ ତୋରଣ ନିର୍ମାଣ ହେବାକୁ ଯାଉଛି। ବାଲିଯାତ୍ରା ପାଇଁ ବୁଧବାର ବଳକା ପ୍ଲଟ୍‌ ବଣ୍ଟନ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ବଳକା ରହିଥିବା ପ୍ରାୟ ୨୫୦ଟି ପ୍ଲଟ୍‌କୁ ବୁଧବାର ସୁଦ୍ଧା ଆବଣ୍ଟନ କରାଯିବା ପାଇଁ ସ୍ଥିର ହୋଇଥିଲା। ପ୍ରାୟ ୧୩୫ ପ୍ଲଟ୍‌ ଆବଣ୍ଟନ ହୋଇସାରିଛି। ଯେଉଁ ଉଠାଦୋକାନୀମାନେ ପଞ୍ଜୀକରଣ କରିଛନ୍ତି, ସେମାନଙ୍କୁ ଗୁରୁବାରଠାରୁ ଜାଗା ପ୍ରଦାନ କରାଯିବ ା

Share