ଆରମ୍ଭ ହେଲା ନୌବାଣିଜ୍ୟ ପରମ୍ପରାର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରା

କଟକ,୨୭ା୧୧: ଐତିହାସିକ କଟକ ବାଲିଯାତ୍ରା ଆଜି ସନ୍ଧ୍ୟାରେ ଉଦ୍‍ଘାଟିତ ହୋଇଛି । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ଐତିହାସିକ ବାଲିଯାତ୍ରାକୁ ଉଦ୍‍ଘାଟନ କରିଛନ୍ତି । ଓଡ଼ିଆ ସାଧବ ପୁଅଙ୍କ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ମହାନଦୀର ଗଡଗଡିଆ ଘାଟର ଉଭୟ ତଳ ଓ ଉପର ପଡ଼ିଆରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଯାତ୍ରା ଆରମ୍ଭ ହୋଇଛି ।

ଚଳିତବର୍ଷ ୧୪ଶହରୁ ଊର୍ଦ୍ଧ୍ୱ ଷ୍ଟଲ ଖୋଲାଯାଇଥିବାବେଳେ ପ୍ରାୟ ୪୫୦ଟି ଓରମାସ ଷ୍ଟଲ ଖୋଲାଯାଇଛି । ଲୋକଙ୍କ ସୁବିଧା ଓ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ୭୦ ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ ମୁତୟନ କରାଯାଇଛି । ଉଭୟ ପଡ଼ିଆକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକରେ ଯାନବାହନ ଉପରେ କଟକଣା ଲଗାଯାଇଛି ।

ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀ ଉପସ୍ଥିତ ରହି ଯାତ୍ରା ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ଦେଖାଯାଇଛି । ଅତି ଭିଡ଼ ସମୟରେ ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କୁ ବାଲିଯାତ୍ରା ପଡ଼ିଆକୁ ନ ଆସିବାକୁ କଟକ ଡିସିପି ପୀନାକ ମିଶ୍ର ଅନୁରୋଧ କରିଛନ୍ତି ।

Share