Categories: ଖେଳ

କଟକ ଚାମ୍ପିୟନ, ସୁନ୍ଦରଗଡ଼ ରନରଅପ୍‌

ଭୁବନେଶ୍ୱର, ୨୬।୬ (ତପନ ସ୍ବାଇଁ): କିଟ୍‌ ଓ କିସ୍‌ ପରିସରରେ ଥିବା ଦୂତୀ ଚାନ୍ଦ ଆଥ୍‌ଲେଟିକ୍ସ ଷ୍ଟାଡିୟମରେ ୬୯ତମ ଓଡ଼ିଶା ରାଜ୍ୟ ଆଥଲେଟିକ୍ସ ମିଟ୍‌ ରବିବାର ଉଦ୍‌ଯାପିତ ହୋଇଛି। ବିଭିନ୍ନ ବୟସ ବର୍ଗରେ ଆଥଲେଟ୍‌ଙ୍କ ପ୍ରଦର୍ଶନ ଭିତ୍ତିରେ କଟକ ୬୦୨ ପଏଣ୍ଟ ସହିତ ଦଳଗତ ଚାମ୍ପିୟନ ଏବଂ ସୁନ୍ଦରଗଡ଼ ୪୦୭ ପଏଣ୍ଟ ପାଇ ରନରଅପ୍‌ ହୋଇଛି। ଓଡ଼ିଶା ଆଥ୍‌ଲେଟିକ୍‌ ମିଟ୍‌ରେ ପ୍ରଥମଥର ପାଇଁ ୪୧ଟି ନୂଆ ମିଟ୍‌ ରେକର୍ଡ ସୃଷ୍ଟି ହୋଇଛି।
କେବଳ ଅନ୍ତିମ ଦିବସରେ ୧୨ଟି ନୂଆ ମିଟ୍‌ ରେକର୍ଡ ସ୍ଥାପିତ ହୋଇଛି। ୨୩ ବର୍ଷରୁ କମ୍‌ ବାଳକ ୪୦୦ ମିଟର ରେସ୍‌ରେ ସୁନ୍ଦରଗଡ଼ର ଅନମୋଲ କେର୍କେଟା, ୧୦୦୦୦ ମିଟର ରେସ୍‌ରେ ନୟାଗଡ଼ର ଟିକନ ନାୟକ, ୪୦୦ ମିଟର ହର୍ଡଲ୍ସରେ ଯାଜପୁରର ଭୀମ ସର୍ଦ୍ଦାର, ଡିସ୍‌କସ୍‌ ଥ୍ରୋରେ ଭୁବନେଶ୍ୱରର ଅମନ ପାଣ୍ଡେ ନୂଆ ମିଟ୍‌ ରେକର୍ଡ ସ୍ଥାପନ କରିଛନ୍ତି। ସେହିପରି ୧୮ ବର୍ଷରୁ କମ୍‌ ବାଳକ ଷ୍ଟିପଲଚେଜ୍‌ରେ ଯାଜପୁରର ଦୋଳମଣି ଚିରଗୁନ, ପୁରୁଷ ଷ୍ଟିପଲଚେଜ୍‌ରେ ଓଡ଼ିଶା ପୋଲିସର ଅଶୋକ ଦଣ୍ଡସେନା, ୨୦ ବର୍ଷରୁ କମ୍‌ ବାଳିକା ଶଟ୍‌ପୁଟ୍‌ରେ କିଟ୍‌ର ଆଂଶିକା ରାଉତରାୟ, ୨୩ ବର୍ଷରୁ କମ୍‌ ବାଳକ ୨୦୦ ମିଟର ରେସ୍‌ରେ ସୁନ୍ଦରଗଡ଼ର ଆର୍ଯ୍ୟନ ଏକ୍କା, ୨୩ ବର୍ଷରୁ କମ୍‌ ବାଳିକା ୨୦୦ ମିଟର ରେସ୍‌ରେ ଭୁବନେଶ୍ୱରର ସୁଖୀ ବାସ୍କେ, ୨୦ ବର୍ଷରୁ କମ୍‌ ବାଳକ ୨୦୦ ମିଟର ରେସ୍‌ରେ କଳାହାଣ୍ଡିର ଡି.ଏମ. ଜୟରାମ, ୨୩ ବର୍ଷରୁ କମ୍‌ ବାଳକ ଜାଭେଲିନ ଥ୍ରୋରେ ମୟୂରଭଞ୍ଜର ସୁନାରାମ ମୁର୍ମୁ ଓ ୨୩ ବର୍ଷରୁ କମ୍‌ ବାଳିକା ଶଟ୍‌ପୁଟ୍‌ରେ କିଟ୍‌ର ଲିପ୍‌ତି କଡ୍ରାକା ନୂଆ ମିଟ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି।
ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ପ୍ରସାଦ ଜେନା ମୁଖ୍ୟଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କ୍ରୀଡ଼ା ବିଭାଗରର ସିଓଓ ଗ୍ରୁପ୍‌ କ୍ୟାପ୍‌ଟେନ ଦୀନେଶ ସୁରି, ଓଡ଼ିଶା ଆଥଲେଟିକ୍‌୍‌ ଆସୋସିଏଶନ ସଭାପତି ଜି.ଏସ. ପଟ୍ଟନାୟକ, ସମ୍ପାଦକ ଆଶୀର୍ବାଦ ବେହେରା, ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ରବି ପ୍ରତିହାରୀ, ଓଡ଼ିଶା ଅଲିମ୍ପିକ୍‌ ଆସୋସିଏଶନ କୋଷାଧ୍ୟକ୍ଷ ଅଧିପ ଦାସ, ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ଏବଂ କିଟ୍‌ ଓ କିସ୍‌ର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

 

ଆଂଶିକାଙ୍କୁ ସ୍ବର୍ଣ୍ଣ, ରୌପ୍ୟ

୬୯ତମ ଓଡ଼ିଶା ରାଜ୍ୟ ଆଥ୍‌ଲେଟିକ୍ସ ମିଟ୍‌ର ଚତୁର୍ଥ ଦିବସରେ ରବିବାର ନୂଆ ମିଟ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି ଆଂଶିକା ରାଉତରାୟ। ୨୦ ବର୍ଷରୁ କମ୍‌ ବାଳିକା ବର୍ଗରେ ସେ ୧୧.୮୩ ମିଟର ଦୂରକୁ ଶଟ୍‌ପୁଟ୍‌ ଫିଙ୍ଗି ଏହି ରେକର୍ଡ କରିଛନ୍ତି। ପୂର୍ବ ରେକର୍ଡଥିଲା ୧୦.୮୫ ମିଟର। ଏହି ଇଭେଣ୍ଟରେ ଆଂଶିକା ସ୍ବର୍ଣ୍ଣ, ସୁନ୍ଦରଗଡ଼ର ମୋନାଲିସା ଏକ୍କା ରୌପ୍ୟ ଓ ମୟୂରଭଞ୍ଜର ନେତୃମଣି ସିଂ ବ୍ରୋଞ୍ଜ ପଦକ ପାଇଥିଲେ। ପୂର୍ବରୁ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ବାଳିକା ଡିସ୍‌କସ୍‌ ଥ୍ରୋରେ ଆଂଶିକା ରୌପ୍ୟ ପଦକ ହାସଲ କରିଥିଲେ।

Share