ବଦଳିଲା କଟକ ମାଲଗୋଦାମ ଖୋଲିବା ସମୟ

କଟକ ଅଫିସ,୨ା୭: କଟକ ମାଲ ଗୋଦାମ ଖୋଲିବା ଏବଂ ବନ୍ଦ ହେବା ସମୟରେ ପରିବର୍ତ୍ତନ ହୋଇଛି। ଏ ନେଇ କଟକ ବଣିକ ସଂଘ, ମାଲଗୋଦାମ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ଗୁରୁବାର କାର୍ଯ୍ୟାଳୟ ପରିସରରେ ଚାଉଳ ବ୍ୟବସାୟୀ ସଂଘ ଏବଂ ଖୁଚୁରା ବ୍ୟବସାୟୀ ସଂଘର ସଦସ୍ୟଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ସକାଳ ୮ଟାରୁ ଅପରାହ୍ନ ୪ଟା ପଯର୍ୟନ୍ତ ଖୁଚୁରା ଦୋକାନଗୁଡ଼ିକ ଖୋଲା ରହିବ। ହୋଲସେଲ ଦୋକାନଗୁଡ଼ିକୁ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ୟନ୍ତ ଖୋଲା ଯିବ। ସରକାରଙ୍କ ନୂତନ ନିର୍ଦ୍ଦେଶନାମାକୁ ଦୃଷ୍ଟିରେରଖି ବର୍ତ୍ତମାନ ସମୟରେ ଜୀବିକା ସହିତ ଜୀବନର ମୂଲ୍ୟକୁ ଅଗ୍ରାଧିକାର ଦିଆଯାଉଛି । ସିଏମ୍‌ସି ପକ୍ଷରୁ ସନ୍ଧ୍ୟା ସାଢ଼େ ୮ଟା ପଯର୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ମାଲଗୋଦାମରେ ସନ୍ଧ୍ୟା ୭ଟାରେ ସବୁ ବନ୍ଦ ହୋଇଯିବ। ଭିଡ଼ କମାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ବୈଠକରେ ସଂଘର ସଭାପତି ଲକ୍ଷ୍ମୀଧର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ପ୍ରଫୁଲ ଛାଟୋଇ ପରିଚାଳନା କରିଥିଲେ । ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ପାତ୍ର, ବଦ୍ରି ଦାସ, ଦୀପକ କୁମାର, ଶ୍ରୀକାନ୍ତ ସାହୁ, ରାଜକିଶୋର ରାଉତ, ବିନୋଦ ଚନ୍ଦ୍ର ସାହୁ, ପ୍ରଦୀପ ଦାସ, ଅବଦୁଲ ରଫ, ଶ୍ୟାମ ସୁନ୍ଦର ପ୍ରମୁଖ ଉପସ୍ଥିତ ଥିଲେ।

Share